ରାମାୟଣ ସର୍କିଟରେ ଓଡ଼ିଶାର ମହେନ୍ଦ୍ରଗିରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳି ଶେଷ ଭାଗରେ ପରିକଳ୍ପିତ ରାମାୟଣ ସର୍କିଟକୁ ବିକଶିତ କରିବା ପାଇଁ ଏବେ ପ୍ରୟାସ ଆରମ୍ଭ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ସହିତ ଏହି ସର୍କିଟର ବିକାଶ ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହାକୁ ପ୍ରାଥମିକତା ଆଧାରରେ ଦ୍ୱରାନ୍ବିତ କରାଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଦେଶର ଯେଉଁ ୯ଟି ରାଜ୍ୟ ଦେଇ ପ୍ରଭୁ ଶ୍ରୀରାମ ଅତିକ୍ରମ କରିଥିଲେ ସେ ସମସ୍ତ ଅଞ୍ଚଳକୁ ସଂଯୋଗ ପୂର୍ବକ ଏହି ସର୍କିଟ ନିର୍ମାଣ ପ୍ରସ୍ତାବ ରହିଛି।
ଏହାକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଯିବା ଯୋଜନା ହୋଇଛି। ଏତଦ୍ ବ୍ୟତୀତ ସମ୍ପୃକ୍ତ ମାର୍ଗଗୁଡ଼ିକୁ ରାଜପଥ, ରେଳ ଓ ଆକାଶ ମାର୍ଗରେ ସଂଯୋଗ କରାଯିବ। ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧାସୁଯୋଗ ଖଞ୍ଜାଯିବ। ଏହି ୯ଟି ରାଜ୍ୟ ମଧ୍ୟରେ ୧୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି ଓ ଏଥିମଧ୍ୟରେ ଓଡ଼ିଶାର ଗଜପତି ଓ ଗଞ୍ଜାମ ଜିଲା ଅନ୍ତର୍ଗତ ମହେନ୍ଦ୍ରଗିରି ପର୍ବତ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କାର୍ଯ୍ୟ ହାତକୁ ନେବେ। ମହେନ୍ଦ୍ରଗିରି ପର୍ବତ ସମ୍ପର୍କରେ ରାମାୟଣରେ ଉଲ୍ଲେଖ ରହୁଛି।
ସୂଚନାଯୋଗ୍ୟ ଯେ ଏହି ପରିକଳ୍ପନାକୁ ତ୍ବରାନ୍ବିତ କରିବା ପାଇଁ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତେଲଙ୍ଗାନା ଓ କର୍ଣ୍ଣାଟକର ସାଂସଦମାନେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏମିତିକି ସଂସଦର ମୌସୁମି ଅଧିବେଶନରେ ଏଥିପାଇଁ ପ୍ରସ୍ତାବ ଆଗତ ସହ ଅର୍ଥ ବରାଦ ପାଇଁ ଦାବି କରାଯିବ ବୋଲି ସେମାନେ କହିଛନ୍ତି।
ଇତିମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇସାରିଛି। ଆଗାମୀ ୩୬ରୁ ୪୦ମାସ ମଧ୍ୟରେ ମନ୍ଦିରର ନିର୍ମାଣ କାମ ଶେଷ ହେବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ କହିଛି। ରାମ ମନ୍ଦିର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ସିବିଆରଆଇ ରୁର୍କି, ଆଇଆଇଟି ମାଡ୍ରାସ ଓ ଏଲଆଣ୍ଡଟିର ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣସ୍ଥଳର ମୃତ୍ତିକା ପରୀକ୍ଷା ଆରମ୍ଭ କରିଛନ୍ତି। ଭୂମିକମ୍ପ, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିପାରିବା ଭଳି ମନ୍ଦିର ନିର୍ମାଣ କରାଯିବ। ମନ୍ଦିରର ନିର୍ମାଣରେ କୌଣସି ଲୁହା ବ୍ୟବହାର କରାଯିବ ନାହିଁ। ମନ୍ଦିର ନିର୍ମାଣରେ ୧୦ହଜାର ତମ୍ବା ପ୍ଲେଟ ବ୍ୟବହାର କରାଯିବ। ଏହି ପ୍ଲେଟଗୁଡିକର ଲମ୍ବ ୧୮ଇଞ୍ଚ, ଓସାର ୩୦ ଇଞ୍ଚ ଓ ମୋଟେଇ ୩ଇଞ୍ଚ। ରାମ ଭକ୍ତମାନଙ୍କୁ ଏହି ସବୁ ପ୍ଲେଟ ଦାନ କରିବା ଲାଗି ନିବେଦନ କରାଯିବ। ଜଣେ ଭକ୍ତ ଉକ୍ତ ପ୍ଲେଟରେ ପରିବାରର ନାମ, ସ୍ଥାନ, ସମ୍ପ୍ରଦାୟ ଆଦି ଲେଖିପାରିବେ। ଏହାଦ୍ୱାରା ମନ୍ଦିର ଏକତାର ପ୍ରତୀକ ଭାବେ ପ୍ରତିପାଦିତ ହେବ ଓ ଏହା ସମସ୍ତଙ୍କ ଅବଦାନରେ ନିର୍ମିତ ହେବ।