ସବୁଜ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ହେବ ମାଇଲଖୁଣ୍ଟ : ୨୦୨୫ ସୁଦ୍ଧା ଦ୍ୱିଗୁଣ ହେବ ପୁଞ୍ଜିନିବେଶ, ୩ଗୁଣ ବଢ଼ିବ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ଶିଳ୍ପର ବିକାଶ କିଭଳି ଦ୍ରୁତଗତିରେ ହେବ ଏବଂ ଏହା ରାଜ୍ୟର ପ୍ରଗତିରେ ସହାୟକ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ସେ ନେଇ ସରକାର ଗୁରୁତ୍ୱ ଦେଇଛନ୍ତି। ଏହାକୁ ନେଇ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗପକ୍ଷରୁ ବୈଦ୍ୟୁତିକ ଦ୍ଧତି କଳାକୃତି ଓ ଉତ୍ପାଦନ (ଇଏସଡିଏମ)-୨୦୨୦ ନାମକ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଏହି ଚିଠା ପ୍ରସ୍ତାବରେ ଆଗାମୀ ୨୦୨୫ ସୁଦ୍ଧା ରାଜ୍ୟରେ କେବଳ ଆଇଟି ଶିଳ୍ପରେ ୨ଗୁଣା ପୁଞ୍ଜିନିବେଶ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ନିଯୁକ୍ତି କ୍ଷେତ୍ରରେ ୩ଗୁଣା ସୁଯୋଗ ପାଇଁ ସରକାର ଆଶା ରଖିଛନ୍ତି। ବିଭାଗର ଏହି ଚିଠାପ୍ରସ୍ତାବ ଠିକ୍‍ ଅଛି ନା’ ଏଥିରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି ତାହା ଜାଣିବା ପାଇଁ ବିଭାଗପକ୍ଷରୁ ରାଜସ୍ୱ, ଜଙ୍ଗଲ ଓ ପରିବେଶ, ଖଣି ଓ ଇସ୍ପାତ, ଶକ୍ତି, ଅର୍ଥ, ଶ୍ରମ, ଇଏସଆଇ, ଦକ୍ଷତା କୌଶଳ ଓ ଆଇନ ବିଭାଗର ମତାମତ ଲୋଡାଯାଇଛି।

ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଚିଠା ପ୍ରସ୍ତାବରେ ଦର୍ଶାଯାଇଛି ଯେ ଆଇଟି କ୍ଷେତ୍ରରେ ଓଡ଼ିଶା ଏବେ ଜାତୀୟସ୍ତରରେ ୧୫ତମ ସ୍ଥାନରେ ରହିଥିବାବେଳେ ଉପକୂଳ ରାଜ୍ୟ ମଧ୍ୟରେ ୪ର୍ଥରେ ରହିଛି। ଏହିକ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ହେବା ସାଙ୍ଗକୁ ଉଦ୍ୟୋଗୀଙ୍କୁ ବ୍ୟାପକ ରିଆତି ଓ ସୁଯୋଗ ଦିଆଯିବାକୁ ରହିଛି। ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟାକ୍ଷେତ୍ରରେ ନୂତନ ଗବେଷଣା ଓ ଦୂରଦୃଷ୍ଟି ବିଶେଷ ଭାବେ ସହାୟକ ହେବ। ରାଜ୍ୟରେ ଯେତେ ସବୁ ଇ-ବର୍ଜ୍ୟ ବାହାରୁଛି ତାହାର ସୁପରିଚାଳନା ହୋଇପାରିବ। ଏମଏସଏମଇ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟିି କରିବ। ବୃତ୍ତିଧାରୀ ନେତୃତ୍ୱ ନେବାରେ ଆଇଟି ଶିଳ୍ପ ବିଶେଷ ଭାବେ ସହାୟକ ହେବ। ସବୁଠାରୁ ବଡ଼କଥା ହେଲା ରାଜ୍ୟରେ ଏବେ ୨,୫୪, ୮୪୫.୩୨ କିମି ଗ୍ରାମାଞ୍ଚଳ ରାସ୍ତା ରହିଥିବାବେଳେ ୫ହଜାର ୭୬୨କିମି ଜାତୀୟ ରାଜପଥ ଏବଂ ୪,୧୦୦.୬୩ କିମି ରାଜ୍ୟ ରାଜପଥ ରହିଛି। ତିନୋଟି ରେଳପଥ ଜୋନ୍‍ ସାଙ୍ଗକୁ ୨ଟି ବିମାନବନ୍ଦର କାର୍ଯ୍ୟକ୍ଷମ ହେଉଛି। ରାଜ୍ୟରେ ୪୮୫କିମିର ଉପକୂଳ ସାଙ୍ଗକୁ ୮ଟି ନଦୀ ବହିଯାଇଛି। ଖଣିଜ ସମ୍ପଦର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟରେ ଏବେ ୮୦୦ ବୈଷୟିକ ମହାବିଦ୍ୟାଳୟ ରହିଥିବାବେଳେ ୬୦୦ ଆଇଟିଆଇ କଲେଜରେ ୩୩ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ରହିଛନ୍ତି। ଏଭଳି ସୁଯୋଗ ଭରି ରହିଥିବା ରାଜ୍ୟରେ ଆଇଟି ଶିଳ୍ପ ବିକାଶରେ ବିଶେଷ ସହାୟକ ହେବ।

ଏହି ପ୍ରସ୍ତାବରେ ନୂତନ ନିବେଶକାରୀ ଓ ଉଦ୍ୟୋଗୀଙ୍କ ପାଇଁ ଆସନ୍ତା ୫ବର୍ଷ ଲାଗି ବିଦ୍ୟୁତ୍‍ କ୍ଷେତ୍ରରେ ବିଶେଷ ରିଆତି ଯୋଗାଇ ଦିଆଯିବ। ଇଡକୋ ପକ୍ଷରୁ ରିଆତିରେ ଜମି ହସ୍ତାନ୍ତର କରାଯିବ। ଏହି ସମୟରେ ୬୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିଆତି ଦିଆଯିବ। ବାର୍ଷିକ ସୁଧ କ୍ଷେତ୍ରରେ ମଧ୍ୟ ରିଆତିର ପରିମାଣ ୩୦ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ ରହିଛି। ସବୁଠାରୁ ବଡ଼କଥା ହେଲା ୨୫୦କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜିନିବେଶକାରୀଙ୍କୁ ୩୦ ପ୍ରତିଶତ ରିଆତି ଦିଆଯିବ। ଏହାବାଦ୍‍ ଅନ୍ୟ ଛୋଟ ଆଇଟି ଶିଳ୍ପରେ ମଧ୍ୟ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିଆତି ରହିଛି। ୫୦ପ୍ରତିଶତରେ ବୈଷୟିକ ଜ୍ଞାନ କୌଶଳ ସହାୟତା ଦିଆଯିବା ଭଳି ବ୍ୟବସ୍ଥା ରହିଛି।

Comments are closed.