ମଦ’ର ଅନଲାଇନ ହୋମ ଡେଲିଭରି ବିରୋଧରେ ‘ସମ୍ଭବ’ର ଅନଲାଇନ ଯୁଦ୍ଧଂଦେହୀ ଡାକରା

ଅନଲାଇନ ମଦକୁ ଅନଲାଇନରେ ହିଁ ବିରୋଧ କରିବ ‘ସମ୍ଭବ’

ଭୁବନେଶ୍ୱର : ଓଡିଶାରେ ରାଜ୍ୟ ସରକାରଙ୍କ ଦ୍ୱାରା ମଦକୁ ଅନଲାଇନ ମାଧ୍ୟମରେ ହୋମ ଡେଲିଭରିର ଶୁଭାରମ୍ଭ ପରେ ସାମାଜିକ ସଂଗଠନ ‘ସମ୍ଭବ’ ପକ୍ଷରୁ ଏହି ପଦକ୍ଷେପକୁ ଅନଲାଇନ ମାଧ୍ୟମରେ ବିରୋଧ କରିବା ପାଇଁ ନିର୍ଣ୍ଣୟ ନିଆଯାଇଛି । ସଂଗଠନ ପକ୍ଷରୁ ଆସନ୍ତା ମାସେବ୍ୟାପୀ ମଦର ଏହି ଅନଲାଇନ ବିକ୍ରି ବ୍ୟବସ୍ଥା କରାଯିବା ବିରୋଧରେ #OdishaAgainstLiquor କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରାଯିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଗଠନ ବିଭିନ୍ନ ପର୍ଯ୍ୟାୟରେ ଅନେକ ଅନଲାଇନ କାର୍ଯ୍ୟକ୍ରମମାନ ଆୟୋଜନ କରିବ । ପ୍ରଥମ ପର୍ଯ୍ୟାୟରେ ସଂଗଠନ ପକ୍ଷରୁ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୭ରୁ ୨ ଘଣ୍ଟା ଧରି ଟ୍ୱିଟରେ ଟ୍ରେଣ୍ଡିଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯେଉଁଥିରେ ଓଡିଶାର କୋଣଅନୁକୋଣରେ ବସବାସ କରୁଥିବା ଯୁବକ ଯୁବତୀ ମାନେ ସାମିଲ ହୋଇଥିଲେ ।

ସଂଗଠନର ଏହି ଅନଲାଇନରେ ଯୁଦ୍ଧଂଦେହୀ ଡାକରା ସଂପର୍କରେ ସୂଚନା ଦେଇ ଶ୍ରୀ ସୌମ ରଞ୍ଜନ ପରିଡା, ସଦସ୍ୟ, ସମ୍ଭବ କହିଛନ୍ତି ଯେ, “କରୋନା ମହାମାରୀ ସମୟରେ ସଂପୂର୍ଣ୍ଣ ଲକ୍‌ଡାଉନ ଯୋଗୁଁ ରାଜ୍ୟରେ ମଦ ଦ୍ୱାରା ତ୍ରସ୍ତ ଥିବା ହଜାର ହଜାର ପରିବାର ଆଶ୍ୱସ୍ତି ଲାଭ କରିଥିଲା ଏବଂ ପରିବାରରେ ଖୁସି ପୁଣି ଫେରି ଆସିଥିଲା । ଏହି ସମୟ ମଧ୍ୟରେ ରାଜ୍ୟରେ ମଦ ଜନୀତ ଘରୋଇ ହିଂସା, ଦୁର୍ଘଟଣା, ଅସଦାଚରଣ ଭଳି ଘଟଣା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କିନ୍ତୁ ସରକାରଙ୍କ ଏହି ମଦର ଅନଲାଇନ ହୋମ ଡେଲିଭରି କାର୍ୟ୍ୟକ୍ରମ ପରେ ମଦ ସମସ୍ୟା ଆହୁରୀ ଉତ୍କଟ ଋପ ଧାରଣ କରିବ ବୋଲି ଆଶା କରାଯାଉଛି । ”

ଏହା ସହ ସେ କହିଛନ୍ତି, “ଆମେ ଆମର ଏହି ମାସେବ୍ୟାପୀ #OdishaAgainstLiquor ଅନଲାଇନ କାର୍ୟ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କର ମଦବନ୍ଦ ସମ୍ବନ୍ଧରେ ଥିବା ବିଭିନ୍ନ ଭ୍ରାନ୍ତ ଧାରଣାକୁ ଦୂର କରିବୁ । ଏହା ସହ ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଯୁବ ବର୍ଗଙ୍କୁ ଏହି ମଦ ଆନ୍ଦୋଳନରେ ଯୋଡିବୁ ।”
ଏଠାରେ ସୂଚନାଯୋଗ୍ୟ  ‘ସମ୍ଭବ’ ଓଡିଶାସ୍ଥିତ ଏକ ସାମାଜିକ ସଂଗଠନ ଭାବେ ସମାଜରେ ଥିବା ବିଭିନ୍ନ ସମସ୍ୟା ବିରୋଧରେ କାର୍ଯ୍ୟ କରିଥାଏ । ରାଜ୍ୟରେ ମଦ ସମସ୍ୟା ବର୍ତ୍ତମାନ ଅତି ଗମ୍ଭୀରସ୍ଥିତିରେ ପହଞ୍ଚିଥିବାରୁ ସଂଗଠନ ଏହା ଉପରେ ଅତି ଗମ୍ଭୀରତାର ସହ କାର୍ଯ୍ୟ କରୁଛି । ସଂଗଠନ ଏହାର ୧୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଆୟୋଜିତ କରି ଆସୁଛି ।

Comments are closed.