ହାଡ଼ଭଙ୍ଗା ଶୀତ

ସୋନପୁରରେ ୪ଂକୁ ଖସିଲା ପାରଦ, ୧୨ ସ୍ଥାନରେ ତାପମାତ୍ରା ୧୦ଂ ତଳେ

ଭୁବନେଶ୍ୱର : ରାଜ୍ୟରେ ଶୀତପ୍ରକୋପ ଦିନକୁ ଦିନ ଅସମ୍ଭାଳ ହେଉଛି। ହାଡ଼ଭଙ୍ଗା ଶୀତରେ ସାରା ଓଡ଼ିଶାରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପଶ୍ଚିମରୁ ଉପକୂଳ ଏବଂ ଉତ୍ତରରୁ ଦକ୍ଷିଣ ସବୁଠି ପାରଦ ଭୟଙ୍କର ଭାବେ ଖସୁଛି। ଗତ ୨୪ଘଣ୍ଟା ଭିତରେ ରାଜ୍ୟର ସବନିମ୍ନ ତାପମାତ୍ରା ସୋନପୁରରେ ୪ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। କଟକ,ହୀରାକୁଦ, ସୁନ୍ଦରଗଡ଼ ଓ ଭବାନୀପାଟଣା ସମେତ ୧୩ଟି ସହରାଞ୍ଚଳରେ ତାପମାତ୍ରା ୧୦ ଡ଼ିଗ୍ରୀ ବା ତା ତଳକୁ ଖସିଥିବାବେଳେ ରାଜଧାନୀ ଭୁବନେଶ୍ବର ସମେତ ୧୯ଟି ସହରର ତାପମାତ୍ରା ୧୨ଡ଼ିଗ୍ରୀ ତଳେ ରହିଛି। ଆସନ୍ତା ଦୁଇରୁ ତିନିଦିନ ଭିତରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ରୁ ୬ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଏହାଛଡ଼ା ନୂଆବର୍ଷ ଆରମ୍ଭରେ ଆସନ୍ତା ୧ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ସୂଚନା ମିଳିଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡ଼ା ଓ ବରଗଡ଼ରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି। ୩ତାରିଖରୁ ବର୍ଷା ଅଧିକ ହୋଇପାରେ ବୋଲି ଅାକଳନ କରାଯାଇଛି।
ପ୍ରବଳ ଶୀତ ଲହରୀକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ସବୁ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ ଜାରି କରିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବ୍ଲକ, ତହସିଲ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ସତର୍କ ରହିବାକୁ କୁହାଯାଇଛି। ଶୀତ ଦାଉରୁ ଗରିବ ଓ ଅସହାୟ ତଥା ବାସହୀନ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଏଥିପାଇଁ ସହରାଞ୍ଚଳରେ ରାତ୍ରୀ ଆଶ୍ରୟସ୍ଥଳ ଯୋଗାଇଦେବା ସହିତ ଉଭୟ ସହର ଓ ଗ୍ରାମାଞ୍ଚଳରେ ବିଦ୍ୟାଳୟ, ସରକାରୀ କୋଠା ଓ ଆଶ୍ରୟସ୍ଥଳ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି।
ଆଗାମୀ ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର ସମେତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ଥଣ୍ଡା ପ୍ରକୋପ ଜାରି ରହିବା ସହିତ ଅନୁଗୋଳ କେନ୍ଦୁଝର, ମୟୂରଭଞ୍ଜ, ଓ ଦେବଗଡ଼ରେ ପ୍ରବଳ ଶୀତ ଅନୁଭୂତ ହେବ। ଏହାଛଡ଼ା କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକରେ ଦିନବେଳା ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ନିମନ୍ତେ ରାଜ୍ୟର ୧୩ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏହି ସମୟରେ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲାରେ ଘନ କୁହୁଡ଼ି ଅନୁଭୂତ ହେବ।
ପରବର୍ତ୍ତୀ ୨୪ଘଣ୍ଟା ଅର୍ଥାତ ୩୦ତାରିଖ ସକାଳ ସୁଦ୍ଧା ବାଲେଶ୍ବର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ସମେତ ଉତ୍ତର ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଶୀତ ଲହରି ଜାରି ରହିବ। ଏସବୁ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆସନ୍ତା ୩୧ତାରିଖ ସକାଳ ସୁଦ୍ଧା ଅନୁଗୋଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୋନପୁର ଓ ବଲାଙ୍ଗୀର ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଗତ ୨୪ଘଣ୍ଟା ଭିତରେ ରାଜ୍ୟର ସବନିମ୍ନ ତାପମାତ୍ରା ସୋନପୁରରେ ୪ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବାବେଳେ କେନ୍ଦୁଝରଗଡ଼ରେ ୫.୬ ଓ ଝାରସୁଗୁଡ଼ାରେ ୫.୮ଡିଗ୍ରୀକୁ ଖସିଛି। ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ିରେ ୭ଡିଗ୍ରୀ, ସମ୍ବଲପୁରରେ ୭.୪ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସେହିପରି ଅନୁଗୋଳରେ ୮ ଥିବାବେଳେ ବାରିପଦାରେ ୮.୫ ଡିଗ୍ରୀକୁ ହ୍ରାସ ପାଇଛି। ଏପରିକି ବନ୍ଦର ନଗରୀ ପୁରୀରେ ପାରଦ ୧୨ଡିଗ୍ରୀକୁ ଓ ଚାନ୍ଦବାଲିରେ ୧୧ଡିଗ୍ରୀକୁ କମିଛି। ପ୍ରଚଣ୍ଡ ଜାଡ଼ରେ ​‌େ​‌ଦ୍ବୖତ ନଗରୀ ଭୁବନେଶ୍ବର ଓ କଟକ ବି ଥରୁଛି। କଟକରେ ପାରଦ ୯.୬ଡିଗ୍ରୀକୁ ଖସିଥିବା ବେଳେ ଭୁବନେଶ୍ବରରେ ୧୨ଡିଗ୍ରୀକୁ କମିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି।

Comments are closed.