୪୮ ଘଣ୍ଟା ମଧ୍ୟରେ ଲଘୁଚାପ

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ତେବେ ସମୁଦ୍ର ପତ୍ତନଠାରୁ ୧.୫ କିମିରେ ଦକ୍ଷିଣ ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଗାମୀ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର ଏବଂ ଦେବଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଏବଂ ସୁନ୍ଦରଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

କେନ୍ଦ୍ରର ଆକଳନ ଅନୁଯାୟୀ, ଗତ ତିନି ସପ୍ତାହ ହେଲା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ନ ଥିଲା। ସ୍ବାଭାବିକ ବର୍ଷା ନ ହେବାରୁ ୨୦ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି; କିନ୍ତୁ ଏବେ ରାଜ୍ୟରେ ମୌସୁମି ବାୟୁ ସ୍ବାଭାବିକ ଆଡକୁ ଆସୁଛି। ଦୁଇଦିନ ମଧ୍ୟରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଆଗକୁ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ.ଆର. ବିଶ୍ବାସ କହିଛନ୍ତି।

ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସବୁଠୁ ଅଧିକ ବର୍ଷା ଭୁବନେଶ୍ବର ୭୭.୨ ମିମି ରେକର୍ଡ କରାଯାଇ ଥିବାବେଳେ ଛତ୍ରପୁରରେ ୭୩ ମିମି, କଟକ ୩୧ ମିମି, ନୟାଗଡ ୨୦.୨ମିମି ସହ ଗୋପାଳପୁର, ପୁରୀ, ଅନୁଗୋଳ, ଝାରସୁଗୁଡା, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ଦାରିଙ୍ଗବାଡି ଏବଂ ରାୟଗଡା ଜିଲାରେ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.