୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ବାଂଲାଦେଶ ଏବଂ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରରୁ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହେବା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ୭ ତାରିଖ ଯାଏ କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ।

ଆଗାମୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର ଏବଂ ଦେବଗଡ ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତା’ସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କନ୍ଧମାଳ, ପୁରୀ, ଢେଙ୍କାନାଳ, ଅନୁଗୋଳ, କଳାହାଣ୍ଡି, ବୌଦ୍ଧ, ନବରଙ୍ଗପୁର ଏବଂ ନୂଆପଡା ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ କଳାହାଣ୍ଡି ଜିଲାର ଥୁଆମୂଳ-ରାମପୁରରେ ସର୍ବାଧିକ ବର୍ଷା ୧୩୨ ମିମି ରେକର୍ଡ ହୋଇଥିବାବେଳେ ଜିଲାର ଗୋଲାମୁଣ୍ଡାରେ ୧୧୮.୪ ମିମି, କଲମପୁରରେ ୯୨.୪ ମିମି, ଝାରସୁଗୁଡାରେ ୧୦୫ ମିମି, ସୁନ୍ଦରଗଡର ଟାଙ୍ଗରାପାଲିରେ ୧୦୦.୮ ମିମି ବର୍ଷା ହୋଇଛି। ଅପରାହ୍ଣ ୫.୩୦ଟା ସୁଦ୍ଧା ସର୍ବାଧିକ ୧୨ ମିମି ବର୍ଷା ହୋଇଥିବାବେଳେ ଚାନ୍ଦବାଲି, କଟକ, ବାରିପଦା, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ମାଲକାନଗିରି, ଦାରିଙ୍ଗବାଡି, ନୟାଗଡ ଏବଂ ଢେଙ୍କାନାଳର କିଛି ଅଞ୍ଚଳରେ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.