୪ ଦିନ ପ୍ରବଳ ବର୍ଷା, ୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ରାଜସ୍ଥାନ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓ ଉପକୂଳ ଓଡ଼ିଶା, ଉତ୍ତର-ପୂର୍ବ ରାଜସ୍ଥାନ, ଉତ୍ତର ମଧ୍ୟ ପ୍ରଦେଶ ଏବଂ ଛତିଶଗଡ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ଏକ ନିମ୍ନଚାପ ରେଖା ଲମ୍ବିଛି। ଏଥିସହିତ ପଶ୍ଚିମ-କେନ୍ଦ୍ରୀୟ ଆରବସାଗର ମଧ୍ୟରେ ସମୁଦ୍ର ପତ୍ତନରୁ ୧.୫ କିମିରୁ ୫.୮ କିମି ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ ପ୍ରବଳ ବର୍ଷା ହୋଇପାରେ। ବୁଧବାରଠାରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ବଜ୍ରପାତ ସମ୍ଭାବନା ଦୃଷ୍ଟିକୁ ରଖି ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।

ମଙ୍ଗଳବାର ଢେଙ୍କାନାଳରେ ସର୍ବାଧିକ ବର୍ଷା ୧୦୦.୨ ମିମି ରେକର୍ଡ ହୋଇଥିବାବେଳେ ପାରଳାଖେମୁଣ୍ଡି ୫୦ମିମି, କଟକ ୩୦.୪ ମିମି, ଭୁବନେଶ୍ବର ୫.୬ମିମି, ଖୋର୍ଦ୍ଧା ୨୨ମିମି ସମେତ ନବରଙ୍ଗପୁର, ଯାଜପୁର, ରାୟଗଡା, ଦାରିଙ୍ଗବାଡି, ମାଲକାନଗିରି ଏବଂ କୋରାପୁଟ ଜିଲାରେ ବର୍ଷା ହୋଇଛି। ମୌସୁମୀ ରାଜ୍ୟକୁ ଛୁଇଁବା ଠାରୁ ଜୁନ ୨୮ ସୁଦ୍ଧା ସ୍ବାଭାବିକ ବର୍ଷା ୧୧୮.୬ମିମି ଥିବାବେଳେ ୧୦୦.୪ ମିମି ବର୍ଷା ହୋଇଛି।

Comments are closed.