୧୪ ଯାଏଁ ବର୍ଷା, ବୃଦ୍ଧି ପାଇବ ବର୍ଷା ପରିମାଣ

ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ସକାଳ ଠାରୁ ବର୍ଷା ଲାଗି ରହିଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ନିମ୍ନ ଚାପ ରେଖା ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ଉଚ୍ଚରେ ବାୟୁ ମଣ୍ଡଳର ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଦକ୍ଷିଣ ଛତିଶଗଡ ଯାଏଁ ଲମ୍ବିଛି। ବାୟୁମଣ୍ଡଳର ମଧ୍ୟ ଏବଂ ଉପର ସ୍ତରର ପଶ୍ଚିମା-ବାୟୁ ଓ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ଯୋଗୁ, ପାରସ୍ପରିକ ପ୍ରକ୍ରିୟା ତଥା ବଙ୍ଗୋପସାଗରମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣବାୟୁ ପ୍ରଭାବରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବୃଷ୍ଟିପାତର ସମ୍ବାବନା ରହିଛି।

ଏହାର ପ୍ରଭାବରେ କେତେକ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ, ଦକ୍ଷିଣ ଉପକୂଳ ଓଡିଶାର ଅନେକ ସ୍ଥାନରେ ଏବଂ ଉତ୍ତର-ଓଡିଶା ଉପକୂଳରର କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇଯାଇଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କନ୍ଧମାଳ, ବଲାଙ୍ଗୀର ଏବଂ ନବରଙ୍ଗପୁରର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁଭୂତ ହୋଇଛି।

ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୩ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡିଶାର କନ୍ଧମାଳ, ରାୟଗଡା, କଳାହାଣ୍ଡି, ଢେଙ୍କାନାଳ, ଜିଲ୍ଲାର ଅଧିକାଂଶ ସ୍ଥାନରର ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ଅବଶିଷ୍ଠ ଜିଲ୍ଲାଗୁଡିକର ଅନେକ ସ୍ଥାନରେ ବର୍ଷା ସମ୍ବାବନା ରହିଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ୍, ଗଜପତି, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ବାବନା ରହିଛି।

Comments are closed.