୯ରୁ ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ୧୦ ତାରିଖ ପର୍ଯ୍ୟନ୍ତ ପାଗ ଏହିପରି ରହିବ। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା (ସର୍ବନିମ୍ନ)ରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ଏହାର ପରବର୍ତ୍ତୀ ସମୟରେ ରାତିର ତାପମାତ୍ରା ୨ରୁ ୩ ଡିିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପକ୍ଷରେ ନଭେମ୍ବର ଦ୍ବିତୀୟ ଓ ତୃତୀୟ ସପ୍ତାହରେ ଆଉ ୨ଟି ଲଘୁଚାପ ଓ ବର୍ଷା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରିଛନ୍ତି। ପ୍ରଫେସର ପଶୁପାଳକ କହିଛନ୍ତି ରାଜ୍ୟରେ ୧୦ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ୧୧ରୁ ୧୩ ପର୍ଯ୍ୟନ୍ତ କୋହଲା ସହିତ କୁହୁଡ଼ି ସମ୍ଭାବନା ରହିଛି। ସୁମାତ୍ରା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଘନୀଭୂତ ହେବ ଏବଂ ୯ ତାରିଖରେ ଲଘୁଚାପରେ ପରିଣତ ହେବ। ୧୨ ବା ୧୩ ତାରିଖରେ ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ। ଦକ୍ଷିଣ ଆରବ ସାଗରରେ ବର୍ତ୍ତମାନ ଥିବା ଲଘୁଚାପ କ୍ଷେତ୍ର ସେତେବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାରୁ ପବନ ସେଠାରୁୁ ଟାଣି ହେବ। ଏଣୁ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ହୋଇ ନ ପାରେ। ତେବେବି ଚେନ୍ନଇ ସହିତ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବର୍ଷା ହେବ। ଏହାର ପ୍ରଭାବରେ ଭୁବନେଶ୍ବର, ଗୋପାଳପୁର, ପୁରୀ ଓ ପାରାଦ୍ବୀପ ସମେତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୧ ଓ ୧୨ ତାରିଖରେ ଭାରି ବର୍ଷା ହେବ। ଉପକୂଳ ଜିଲାର ସଂଲଗ୍ନ ଜିଲାରେ ପାଗ ମେଘୁଆ ସହିତ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ମଧ୍ୟ ହାଲୁକାରୁ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି। ୧୪ ତାରିଖରେ ଥାଇଲାଣ୍ଡ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହାକି ପରେ ବଙ୍ଗୋପସାଗରକୁ ବିସ୍ତୃତ ହେବ। ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିପାରେ।

Comments are closed.