ଲଘୁଚାପ ଦୁର୍ବଳ, ଲାଗି ରହିବ କାଳବୈଶାଖୀ

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦୁର୍ବଳ ହୋଇପଡ଼ିଛି। ତେଣୁ ଲଘୁଚାପ ଅବପାତ ରୂପ ନେଇ ବାତ୍ୟାରେ ପରିଣତ ହେବା ନେଇ ଦେଖାଦେଇଥିବା ଆଶଙ୍କା ଦୂର ହୋଇଛି। ପଡ଼ୋଶୀ ରାଜ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଏହାର ପ୍ରଭାବରେ ଅଧିକାଂଶ ଜିଲାରେ ବର୍ଷା ଲାଗିରହିଛି। କାଳବୈଶାଖୀ ଯୋଗୁଁ ଝଡ଼ବର୍ଷା ଓ ବଜ୍ରପାତ ଭଳି ପରିସ୍ଥିତି ଅନୁଭୂତ ହେଉଛି। ଏବେ କେବଳ ଟିଟିଲାଗଡ଼କୁ ଛାଡ଼ିଦେଲେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାରଦ ୪୦ଡ଼ିଗ୍ରୀ ତଳକୁ ଖସିଛି। ଗତ ୨୪ଘଣ୍ଟା ମଧ୍ୟରେ ସୋନପୁର ଓ ଦାରିଙ୍ଗବାଡ଼ିରେ ସର୍ବାଧିକ ୩୫ମିମି ଲେଖାଏଁ ବର୍ଷା ହୋଇଛି। ବାଲେଶ୍ବର, କଟକ, ଅନୁଗୋଳ, ବାରିପଦା, ତାଳଚେର, ବଲାଙ୍ଗୀର ବୌଦ୍ଧରେ ଅଧିକ ବର୍ଷା ହୋଇଛି।

ଆଜି ଉପକୂଳ ଓଡ଼ିଶା ସମେତ କୋରପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଅନ୍ୟ କେତେକ ଜିଲାରେ ବର୍ଷା ହେବ। ଏହି ସମୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ଅଧିକାଂଶ ସ୍ଥାନରେ ବଜ୍ରପାତର ଆଶଙ୍କା ରହିଛି। ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ଝଡ଼ବର୍ଷା, କୁଆପଥର ବୃଷ୍ଟି ଏବଂ ବଜ୍ରପାତର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୪ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

Comments are closed.