ପଶ୍ଚିମରେ କମିଲା ତାତି, ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ ଆଭ୍ୟନ୍ତରୀଣ ଜିଲାଗୁଡିକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଅନୁଭୂତ ହୋଇପାରେ। ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି ଘଡଘଡିକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୱାର୍ଣ୍ଣିଂ ଦିଆଯାଇଥିବା ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

କାଳବୈଶାଖୀ ପ୍ରଭାବ ଯୋଗୁଁ ସମସ୍ତ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ଦିନ ତାପମାତ୍ରା କମିଛି। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ସୋନପୁରରେ ୩୯.୨, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ ଏବଂ ବୌଦ୍ଧରେ ୩୯ ଡିଗ୍ରୀ ଲେଖାଏଁ ପାରଦ ରହିଛି। ଅନ୍ୟାନ୍ୟ ସ୍ଥାନରେ ପାରଦ ୩୧ରୁ ୩୮ ଡିଗ୍ରୀ ମଧ୍ୟରେ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର କୋରାପୁଟରେ ୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ୧୨.୬ ମିମି, ଦାରିଙ୍ଗବାଡିରେ ୨ ମିମି, ଟିଟିଲାଗଡରେ ୩.୬ ମିମି, କୋରାପୁଟରେ ୪ ମିମି ଏବଂ କଟକରେ ୪.୪ମିମି ବର୍ଷା ହୋଇଛି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଆସନ୍ତା ୪ ଦିନ ପର୍ୟ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

Comments are closed.