ଓଡ଼ିଶା ପାଣିରେ ଆନ୍ଧ୍ରର ରାଜୁତି! ଦୁଇ ଟରବାଇନ ଅଚଳ, ବିଦ୍ୟୁତ୍‍ ଉତ୍ପାଦନ ହ୍ରାସ

ମାଛକୁଣ୍ଡରେ ଅନ୍ଧାର, ପଡ଼ୋଶୀ ଆଲୋକିତ

ଲମତାପୁଟ : ଦୁଇ ରାଜ୍ୟର ମିଳିତ ଜଳବିଦ୍ୟୁତ ପ୍ରକଳ୍ପ ମାଛକୁଣ୍ଡ ଓଡ଼ିଶାରେ ଅବସ୍ଥାପିତ ହୋଇଥିଲେ ହେଁ ଚୁକ୍ତିକୁ ଢାଲ କରି ଆନ୍ଧ୍ର ଅଧିକ ଫାଇଦା ନେଉଥିବା ଚର୍ଚ୍ଚା ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଦୀର୍ଘଦିନ ହେଲା ଦୁଇଟି ଟରବାଇନ ଅଚଳ ହୋଇ ପଡ଼ିଥିବାବେଳେ ବିଦ୍ୟୁତ ଉତ୍ପାଦନ ହ୍ରାସ ହେବା ଘଟଣା ପ୍ରତିକ୍ରୀୟା ସୃଷ୍ଟି କରିଛି। କୋରାପୁଟ ଜିଲାରେ ମାଛକୁଣ୍ଡ ଜଳ ବିତ୍ୟୁତ୍‍ ପ୍ରକଳ୍ପ ଥାଇ ମଧ୍ୟ ଅନେକ ସମୟରେ ଏଠାକାର ଉପଭୋକ୍ତା ଅନ୍ଧାରରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। କାରଣ କୋରାପୁଟ ଜିଲାର ଅନକାଡେଲିରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ରହିଥିଲେ ହେଁ ଏହାକୁ ଆନ୍ଧ୍ର ପରିଚାଳନା କରୁଛି।

ଓଡ଼ିଶା-ଆନ୍ଧ୍ରର ମିଳିତ ବିଦ୍ୟୁତ ପ୍ରକଳ୍ପ ହେଉଛି ମାଛକୁଣ୍ଡ। ଏଠାରୁ ୧୨୦ମେଗାୱାଟ ବିଦ୍ୟୁତ ଉତ୍ପାଦନର କ୍ଷମତା ରହିଛି। ଦୀର୍ଘଦିନ ହେଲା ପ୍ରକଳ୍ପର ୬ଟି ଟରବାଇନରୁ ୨ଟି ଅଚଳ ହୋଇପଡିଥିବାରୁ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଫଳରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅନ୍ୟପଟେ ୪ଟି ଟରବାଇନରୁ ଅଦ୍ୟାବଧି ୭୧ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଛି। ଏହି ବିଦ୍ୟୁତ ପ୍ରକଳ୍ପକୁ ଆନ୍ଧ୍ର ସରକାର ପରିଚାଳନା କରୁଥିବା ବେଳେ ଉଭୟ ରାଜ୍ୟର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାର କୋରାପୁଟ ଜିଲା ଜଲାପୁଟଠାରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଉତ୍ପନ୍ନ ବିଦ୍ୟୁତ ଆନ୍ଧ୍ରପ୍ରଦେଶ ୭୦ ପ୍ରତିଶତ ବ୍ୟବହାର କରୁଥିବା ବେଳେ ଓଡ଼ିଶା ମାତ୍ର ୩୦ ଭାଗ ବିଦ୍ୟୁତ ବ୍ୟବହାର କରିଆସୁଛି। ଗତ କିଛିବର୍ଷ ହେଲା ଏହି ପ୍ରକଳ୍ପରୁ ୫୦ ପ୍ରତିଶତ ବିଦ୍ୟୁତ ଓଡ଼ିଶା ଆଉ ୫୦ପ୍ରତିଶତ ଆନ୍ଧ୍ର ପ୍ରଦେଶ ନେଉଥିବା ଜଣାଯାଇଛି। ଟରବାଇନ ଅଚଳ ପରେ ଏବେ ପରିଚାଳନାଗତ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ପରିଚାଳନା ତ୍ରୁଟି, ଅପାରଗତରୁ ଦୀର୍ଘଦିନ ହେଲା ୨ଟି ଟରବାଇନ ଅଚଳ ହୋଇପଡିଛି। ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଓଡ଼ିଶା ମାଟିରେ ଥିବା ଏହି ବିଦ୍ୟୁତ ପ୍ରକଳ୍ପ ପ୍ରତି ଆନ୍ଧ୍ର ସରକାରଙ୍କ ଅଣଦେଖା ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।

ଚଳିତ ବର୍ଷ ଓଡ଼ିଶାରେ କମ ପରିମାଣରେ ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ଜଳଭଣ୍ଡାର ତୁଳନାରେ ଜଲାପୁଟ ଜଳଭଣ୍ଡାରରେ ଯଥେଷ୍ଟ ପରିମାଣରେ ଜଳ ଗଚ୍ଛିତ ରହିଛି। ଜଲାପୁଟ ଜଳ ଭଣ୍ଡାର ବିପଦ ସଙ୍କେତ ୨୭୫୦.୦୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨୭୪୮.୭୦ ଫୁଟ ରହିଛି। ଗତ ୨୦୧୯ରେ ଜଲାପୁଟ ଜଳଭଣ୍ଡାରରେ ନଭେମ୍ବର ୨୩ତାରିଖରେ ଜଳ ସଞ୍ଚୟ ଶକ୍ତି ୩୪୨୭୩.୦୦ଏମସିଏଫଟି ରହିଥିଲା। ଚଳିତବର୍ଷ ନଭେମ୍ବର ୨୩ ତାରିଖରେ ୨୭୪୮.୨୦ଫୁଟ ଜଳ ରହିଥିବା ବେଳେ ଜଳଭଣ୍ଡାରରେ ଜଳ ସଞ୍ଚୟ ଶକ୍ତି ୩୦୩୯୯.୦୧ଏମସିଏଫଟି ରହିଛି। ଜଳଭଣ୍ଡାରରେ ୧୯.୮୯ଏମସିଏଫଟି ଜଳ ପ୍ରବେଶ କରୁଥିବା ବେଳେ ୧୦୬.୧୨ଏମସିଏଫଟି ଜଳ ଜଳଭଣ୍ଡାରରୁ ନିଷ୍କାସିତ କରାଯାଉଥିବା ଜଣାଯାଇଛି। ମାଛକୁଣ୍ଡ ଡି.ଡ୍ୟାମର ବର୍ତ୍ତମାନ ୨୫୮୬.୦୯ ଫୁଟ ରହିଥିବା ଜଣାଯାଇଛି। ଚଳିତବର୍ଷ ଗ୍ରୀଷ୍ଣ ଋତୁରେ ଜଲାପୁଟ ଜଳଭଣ୍ଡାରକୁ କୌଣସି ଅସୁବିଧା ହେବ ନାହିଁ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରୁଛନ୍ତି। ଅନ୍ୟପଟେ ଧିରେଧିରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ପ୍ରତି ଆନ୍ଧ୍ରର ଲୋଲୁପ ନଜର ବେଳେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପକୁ ଆନ୍ଧ୍ର ପରିଚାଳନା କରିବା ଘଟଣା ଏବେ ସୀମାନ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.