ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ; ଓଡ଼ିଶା-ବଙ୍ଗଳା ମୁକାବିଲା ଆଜି

କଟକ : ଦେଶରେ କରୋନା ସଂକ୍ରମଣ ପରେ ବିସିସିଆଇର ସର୍ବପ୍ରଥମ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ସୟଦ୍‌ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ବେଣ୍ଟି-୨୦ ରବିବାରଠାରୁ ସାରାଦେଶରେ ଆରମ୍ଭ ହେଉଛି। କଲକାତାରେ ଏଲିଟ୍‌ ଗ୍ରୁପ୍‌ ‘ବି’ର ମ୍ୟାଚ୍‌ସବୁ ଖେଳାଯିବ। ଏଲିଟ୍‌ ଗ୍ରୁପ୍ ‘ବି’ରେ ଥିବା ଓଡ଼ିଶା ରବିବାର ଘରୋଇ ବଙ୍ଗଳା ବିପକ୍ଷରେ ରବିବାର ପ୍ରଥମ ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଏହା ପ୍ରଥମ ଘରୋଇ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଉଭୟ ଦଳ ଭଲ ପ୍ରଦର୍ଶନ କରିବାର ପ୍ରୟାସ କରିବେ। ଉଭୟ ଓଡ଼ିଶା ଓ ବଙ୍ଗଳା ଦଳରେ କିଛି ଅଭିଜ୍ଞ ଖେଳାଳି ଥିବା ବେଳେ କିଛି ନବାଗତଙ୍କୁ ସୁଯୋଗ ମିଳିଛି। ତେ​‌େ​‌ବ ସାମର୍ଥ୍ୟ ଅନୁସାରେ ବଙ୍ଗଳା ଦଳ ଆଗୁଆ ଥିବା ମନେହେଉଛି। ଫେବୃଆରୀରେ ଆଇପିଏଲ୍‌ ନିଲାମ ହେବାକୁ ଥିବା ବେଳେ ପ୍ରତି ଦଳର ଖେଳାଳି ପ୍ରଭାବଶାଳୀ ପ୍ରଦର୍ଶନ କରିବାର ପ୍ରୟାସ କରିବେ।
୨୦ ଜଣିଆ ଓଡ଼ିଶା ଦଳ ଗତ ୨ରେ କଲକାତାରେ ପହଞ୍ଚି ସଂଗରୋଧରେ ରହିଥିଲେ। ଇତିମଧ୍ୟରେ ଓଡ଼ିଶା ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କର ୪ ଥର ଲେଖାଏଁ କୋଭିଡ୍‌ ପରୀକ୍ଷା ହୋଇଛି। ସଂଗରୋଧ ଅବଧି ଶେଷ ପରେ ଓଡ଼ିଶାର ଖେଳାଳି ଶୁକ୍ରବାର ସନ୍ଧ୍ୟାରେ ଇଡେନ୍‌ ଗାର୍ଡେନ୍‌ସରେ ଅଭ୍ୟାସ ଆରମ୍ଭ କରିଥିଲେ। ଶନିବାର ସେମାନେ ଯାଦବପୁର ବିଶ୍ବବିଦ୍ୟାୟ ଗ୍ରାଉଣ୍ଡରେ ଅଭ୍ୟାସ କରିଛନ୍ତି। ଏଥର ଆନ୍ତଃଜିଲା ଟି୨୦ ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଭିତ୍ତିରେ ଓଡ଼ିଶା ଦଳର ମନୋନୟନ କରାଯାଇଛି। ଦଳରେ ୯ ଜଣ ନବାଗତ ଖେଳାଳି ରହିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ନିଶ୍ଚୟ। ଆଗକୁ ଓଡ଼ିଶାକୁ ହାଇଦରାବାଦ, ତାମିଲନାଡ଼ୁ, ଝାଡ଼ଖଣ୍ଡ ଓ ଆସାମ ବିପକ୍ଷରେ ଖେଳିବାକୁ ପଡ଼ିବ। ବଙ୍ଗଳା ବିପକ୍ଷରେ ଓଡ଼ିଶାର ଅଭିଜ୍ଞ ଖେଳାଳି ଖେଳିବା ନିଶ୍ଚିତ। ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ସହ ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ ମଧ୍ୟକ୍ରମ ସମ୍ଭାଳିବେ। ରାଜେଶ ଧୁପର ଇନିଂସ ଓପନ୍‌ କରିବାର ଥିବା ବେଳେ ଅଲ୍‌ରାଉଣ୍ଡର ଭାବେ ଅଙ୍କିତ ଯାଦବ ଖେଳିପାରନ୍ତି। ବାମହାତି ସ୍ପିନର ପପ୍ପୁ ରାୟଙ୍କ ପାଖରେ ପୁଣିଥରେ ଦକ୍ଷତା ପ୍ରତିପାଦନର ସୁଯୋଗ ରହିଛି। ପେସ୍ ବୋଲର ଭାବେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ମହାନ୍ତି ଖେଳିବାକୁ ଥିବା ବେଳେ ଆଶିଷ ରାୟ ପଦାର୍ପଣ କରିପାରନ୍ତି। ଓଡ଼ିଶା ତୁଳନାରେ ବଙ୍ଗଳା ଅଧିକ ଶକ୍ତିଶାଳୀ ମନେହେଉଛି। ଦଳରେ ଆନ୍ତର୍ଜାତିକ ଖେଳାଳି ମନୋଜ ତିୱାରୀ ଥିବା ବେଳେ ଅଭିଜ୍ଞ ଶ୍ରୀବତ୍ସ ଗୋସ୍ବାମୀ, ଅଧିନାୟକ ଅନୁଷ୍ଟୁପ ମଜୁମ୍‌ଦାର, ଅଭିମନ୍ୟୁ ଈଶ୍ବରନ୍, ସୁଦୀପ ଚାଟାର୍ଜୀଙ୍କ ପରି ମ୍ୟାଚ୍ ବିଜେତା ବ୍ୟାଟ୍‌ସମ୍ୟାନ୍ ରହିଛନ୍ତି। ପେସ୍ ବୋଲିଂ ଦାୟିତ୍ବ ସମ୍ଭାଳିବେ ଜୁନିୟର ଭାରତ ପାଇଁ ଖେଳିଥିବା ଈଶାନ୍ ପୋରେଲ ଓ ରବିକାନ୍ତ ସିଂହ। ଶାହ୍‌ବାଜ୍ ଅହମ୍ମଦ ଜଣେ ଚମତ୍କାର ଅଲ୍‌ରାଉଣ୍ଡର। ଗତବର୍ଷ ଓଡ଼ିଶା ଦଳ ଗ୍ରୁପ୍ ‘ଇ’ରେ ଖେଳିଥିଲା। ଓଡ଼ିଶା ୭ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟି ମ୍ୟାଚ୍ ଜିତି ୩ଟିରେ ପରାସ୍ତ ହୋଇଥିଲା। କେବଳ ସିକ୍କିମ୍, ସୌରାଷ୍ଟ୍ର ଓ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ଜିତିଥିଲା। ଫଳରେ ୮ଟି ଦଳ ମଧ୍ୟରେ ଓଡ଼ିଶା ୫ମ ସ୍ଥାନରେ ରହିଥିଲା।

Comments are closed.