ଧନ୍ୟବାଦ ସ୍ୱାସ୍ଥ୍ୟକର୍ମୀ, କୋଟିଏ ଟପିଲା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧୬ରୁ ଜାରି ଟିକାକରଣ ଅଭିଯାନରେ ସୋମବାର ରାଜ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପାହାଚ ଚଢ଼ି ଏକ କୀର୍ତ୍ତି ସ୍ଥାପନ କରିଛି। ରାଜ୍ୟରେ ଇତିମଧ୍ୟରେ ୧ କୋଟିରୁ ଊର୍ଦ୍ଧ୍ବ ପାନ ଟିକାକରଣ ହୋଇପାରିଛି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଟିକା ନଷ୍ଟ ବଞ୍ଚାଇବାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ହୋଇପାରିଛି। ଏହି ଅବଧି ମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟକର୍ମୀମାନେ ବିଯୁକ୍ତ ୩ ପ୍ରତିଶତ ଅର୍ଥାତ ୨ ଲକ୍ଷ ୯୦ହଜାର ଟିକା ବଞ୍ଚାଇ ହିତାଧିକାରୀଙ୍କୁ ଦେଇ ପାରିଛନ୍ତି। ଯାହାଫଳରେ ରାଜ୍ୟ ୧କୋଟିରୁ ଅଧିକ ଟିକାକରଣ କରିବାରେ ସମର୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଇତିମଧ୍ୟରେ ରାଜ୍ୟକୁ ପ୍ରାୟ ୯୮ଲକ୍ଷ ଟିକା ଆସିଥିବା ବେଳେ ନଷ୍ଟ ଟିକାକୁ ନେଇ ୧ କୋଟି ସଂଖ୍ୟା ଟପିବା କିଛି କମ୍‍ କଥା ନୁହେଁ। ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଧନ୍ୟବାଦର ପାତ୍ର। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଦିନ ୩ ଲକ୍ଷ ସଂଖ୍ୟକ ଟିକାକରଣ କରାଯିବାକୁ ଲକ୍ଷ୍ୟ ରହିଥିବା ବେଳେ ସୋମବାର ୩.୩୨ଲକ୍ଷରୁ ଊର୍ଦ୍ଧ୍ବ ସଂଖ୍ୟକ ଟିକାକରଣ ହୋଇଛି। ଏହି ପ୍ରକ୍ରିୟା ଆଗାମୀ ଦିନରେ କିଭଳି ଜାରି ରହିବ ଏବଂ ରାଜ୍ୟବାସୀଙ୍କୁ ତୁରନ୍ତ ଟିକାକରଣ କରାଯାଇ ପାରିବ ତାହାହିଁ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ବିଭାଗର ତଥ୍ୟ ଅନୁଯାୟୀ, ସୋମବାର ୧୬୧୩ଟି କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ୩ଲକ୍ଷ ୩୨ହଜାର ୭୧୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୧କୋଟି ୨୫ହଜାର ୬୨୯କୁ ଛୁଇଁଛି। ଇତିମଧ୍ୟରେ ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୫୮ଲକ୍ଷ ୪୫ହଜାର ୬୯୦ ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବାବେଳେ ୧୩ଲକ୍ଷ ୧୭ହଜାର ୬୬୬ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି।

ଏହାବାଦ୍‍ ୧୮ରୁ ୪୪ବର୍ଷ ବୟସ୍କ ୧୬ଲକ୍ଷ ୪୩ହଜାର ୮୬୬ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବା ବେଳେ ସେଥିରୁ ୧ଲକ୍ଷ ୧୪ହଜାର ୯୨୫ଜଣ ଦ୍ୱିତୀୟପାନ ନେଇଛନ୍ତି। ସେହିପରି ୩ଲକ୍ଷ ୩୨ହଜାର ୮୮୪ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ ଟିକା ନେଇଥିବାବେଳେ ୨ଲକ୍ଷ ୮୧ହଜାର ୯ ଜଣ ସେଥିରୁ ଦ୍ୱିତୀୟପାନ ନେଇଛନ୍ତି।

ଏହାବାଦ୍‍ ୩ଲକ୍ଷ ୮ହଜାର ୧୩୩ କୋଭିଡ ଯୋଦ୍ଧା ପ୍ରଥମ ପାନ ଟିକା ନେଇଥିବା ବେଳେ ଏଥିରୁ ୧ଲକ୍ଷ ୮୧ ହଜାର ୪୫୬ଜଣ ଦ୍ୱିତୀୟପାନ ଟିକା ନେଇ ସାରଛନ୍ତି। ରାଜ୍ୟ ସରକାରଙ୍କ ହାତରେ ଏବେ ୬ଲକ୍ଷ ୯୮ହଜାର ୭୭୦ ‘କୋଭିସିଲ୍‌ଡ’ ଟିକା ରହିଥିବା ବେଳେ ୪ଲକ୍ଷ ୩୦ହଜାର ୯୧୦ ପାନ ‘କୋଭାକ୍ସିନ’ ଟିକା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ଆପ୍ ଅନୁଯାୟୀ, ରାଜ୍ୟରେ ମୋଟ ଟିକାକରଣ ୧କୋଟି ୧ଲକ୍ଷ ୪୧ ହଜାର ୭୭୩ ରହିଥିବାବେଳେ ସୋମବାର ଓଡ଼ିଶାରେ ୨ ଲକ୍ଷ ୯୦ ହଜାର ଟିକାକରଣ ହୋଇଥିବା ତଥ୍ୟ ରହିଛି। ମୋଟ ଟିକାକରଣରେ ରାଜ୍ୟ ତଥ୍ୟଠାରୁ ଏହା ଅଧିକ ଥିବାବେଳେ ଦୈନିକ ଟିକାଦାନ ସଂଖ୍ୟା ତଥ୍ୟରେ କମ୍‌ ରହିଛି। ସେହିଭଳି କୋଭିସିଲ୍ଡ, କୋଭାକ୍ସିନ୍‌, ବୟସ ବର୍ଗୀକରଣ ଅନୁଯାୟୀ ଟିକା ସଂଖ୍ୟାର ତଥ୍ୟରେ ତାଳମେଳ ନଥିବା ଦେଖାଯାଇଛି।

Comments are closed.