କିଟ୍‍ ଗ୍ରାଉଣ୍ଡରେ ଓଡ଼ିଶା-ୟୁପି ରଣଜୀ ମୁକାବିଲା

0

ଭୁବନେଶ୍ୱର :  ରଣଜୀ ଟ୍ରଫିର ୨ୟ ମ୍ୟାଚରେ ଶକ୍ତିଶାଳୀ ଉତ୍ତର ପ୍ରଦେଶର ମୁକାବିଲା କରିବ ଓଡ଼ିଶା। ଭୁବନେଶ୍ୱରର କିଟ୍‍ ଗ୍ରାଉଣ୍ଡରେ ସୋମବାରଠାରୁ ଏହି ଏଲିଟ୍‍ ଗ୍ରୁପ୍‍ ‘ସି’ର ମ୍ୟାଚ୍‍ ଖେଳାଯିବ। ଗ୍ରୁପରେ  ବୋଧହୁଏ ଏହା ଓଡ଼ିଶାର ସବୁଠାରୁ କଷ୍ଟସାଧ୍ୟ ମ୍ୟାଚ୍‍। ଏକାଧିକ ଆନ୍ତର୍ଜାତିକ ତାରକାରେ ଭରପୂର ଉତ୍ତର ପ୍ରଦେଶ ଦଳ। ପୁଣି ସୁରେଶ ରୈନାଙ୍କ ପରି ପ୍ରଥିତଯଶା ବ୍ୟାଟ୍‍ସମ୍ୟାନ୍‍ ୟୁପିର ୨ୟ ମ୍ୟାଚ୍‍ ପାଇଁ ଦଳରେ ସାମିଲ ହୋଇଥିବାରୁ ଏହାର ନିଶ୍ଚୟ ଶକ୍ତି ବୃଦ୍ଧି ଘଟିଛି । ଏହା ତୁଳନାରେ ଓଡ଼ିଶା ସାମାନ୍ୟ ଦୁର୍ବଳ ମନେହେଉଛି । ତଥାପି ଉତ୍ତର ପ୍ରଦେଶକୁ ଚକ୍‍ମାଦେବାର ସମସ୍ତ ସାମର୍ଥ୍ୟ ଓଡ଼ିଶା ଦଳର ରହିଛି। ତଥାପି ଏହି ମ୍ୟାଚରେ ଉତ୍ତର ପ୍ରଦେଶର ପଲ୍ଲା ନିଶ୍ଚୟ ଭାରିରହିବ। ଯଦି ମ୍ୟାଚ୍‍କୁ ଡ୍ର ରଖିଦିଏ; ଏହା ଓଡ଼ିଶା ପାଇଁ ମାନସିକ ବିଜୟ ପରି ହେବ।
ଉତ୍ତର ପ୍ରଦେଶ ଦଳରେ ସୁରେଶ ରୈନାଙ୍କୁ ଛାଡ଼ି ଅକ୍ଷଦୀପ ନାଥ, ପ୍ରିୟମ୍‍ ଗର୍ଗ, ମହମ୍ମଦ ସୈଫ୍‍ ଓ ଶିବମ୍‍ ମାଭିଙ୍କ ପରି ଖେଳାଳି ଅଛନ୍ତି; ଯେଉଁମାନେ ଜୁନିୟର ଭାରତ ଦଳ ପାଇଁ ଖେଳି ସାରିଛନ୍ତି। ଏହାସହ ଦଳର ଅଧିକାଂଶ ଖେଳାଳି ଆଇପିଏଲ୍‍ ଖେଳିବାର ଅଭିଜ୍ଞତା ଅର୍ଜନ କରି ସାରିଛନ୍ତି। ଉତ୍ତର ପ୍ରଦେଶ ତା’ର ପ୍ରଥମ ମ୍ୟାଚରେ  ଶକ୍ତି ପ୍ରଦର୍ଶନ କରିସାରିଛି। ଅବଶ୍ୟ ଦୁର୍ବଳ ଗୋଆ ବିପକ୍ଷରେ ଏହି ମ୍ୟାଚ୍‍ ଉତ୍ତର ପ୍ରଦେଶ ଖେଳିଥିଲା। ଭାରତୀୟ ୧୯ ବର୍ଷରୁ କମ୍‍ ଦଳ ପାଇଁ ଖେଳିଥିବା ଅଧିନାୟକ ଅକ୍ଷଦୀପ ନାଥ (୧୯୪), ମହମ୍ମଦ ସୈଫ୍‍ (୧୨୪) ଓ ପ୍ରିୟମ୍‍ ଗର୍ଗ (ଅପରାଜିତ ୧୧୭) ଶତକ ମାରି ସାରିଛନ୍ତି। ଓପ୍‍ନର ମାଧବ କୌଶିକ ମଧ୍ୟ ୯୨ ରନ୍‍ର ଇନିଂସ ଖେଳିଛନ୍ତି। ତେବେ ଦୁର୍ବଳ ଗୋଆ ବିପକ୍ଷରେ ଏମାନେ ଶତକ ମାରିଛନ୍ତି ଏବଂ ୟୁପି ୪ ୱିକେଟରେ ୫୬୪ ରନ୍‍ର ବିଶାଳ ସ୍କୋର୍‍ କରି ପାରିଥିଲା। ତେବେ ଓଡ଼ିଶା ବୋଲିଂ ବିପକ୍ଷରେ ଉତ୍ତର ପ୍ରଦେଶର ବ୍ୟାଟ୍‍ସମ୍ୟାନ ଏପରି ପ୍ରଦର୍ଶନ କରିବେ; ତାହା ଭାବିବା ଭୁଲ୍‍। ଗୋଆର ଦୁର୍ବଳ ବ୍ୟାଟିଂ ବିପକ୍ଷରେ ଉତ୍ତର ପ୍ରଦେଶର ବୋଲର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୯ ବର୍ଷରୁ କମ୍‍ ବିଶ୍ୱକପ୍‍ ଚମ୍ପିଆନ୍‍ ଭାରତୀୟ ଦଳର ଫାଷ୍ଟବୋଲର ଶିବମ୍‍ ମାଭି ୫ଟି ୱିକେଟ ପାଇଥିବା ବେଳେ ଅଭିଜ୍ଞ ପେସ ବୋଲର ଅଙ୍କିତ ରାଜପୁତ ୭ଟି ଓ ବାମହାତି ସ୍ପିନର ସୌରଭ କୁମାର ୬ଟି ୱିକେଟ ନେଇଥିଲେ।
ଘରୋଇ ଓଡ଼ିଶା ପାଇଁ ଏହା ଏକ ଖୁସିର ଖବର ଯେ ହରିୟାଣାର ଭଲ ବୋଲିଂ ଆକ୍ରମଣ ବିପକ୍ଷରେ ଓଡ଼ିଶାର ଦୁଇ ବ୍ୟାଟ୍‍ସମ୍ୟାନ୍‍ ଅନୁରାଗ ଷଡ଼ଙ୍ଗୀ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ଶତକ ମାରିଛନ୍ତି। ପୁଣି ଶାନ୍ତନୁ ମିଶ୍ର ଓ ଶୁଭ୍ରାଂଶୁ ସେନାପତି ମଧ୍ୟ ଭଲ ଇନିଂସ ଖେଳିଛନ୍ତି। ତେବେ ଦଳର ପ୍ରମୁଖ ବ୍ୟାଟ୍‍ସମ୍ୟାନ୍‍ ଗୋବିନ୍ଦ ପୋଦ୍ଦାର ଓ ଓପ୍‍ନର ସନ୍ଦୀପ ପଟ୍ଟନାୟକ ହରିୟାଣା ବିପକ୍ଷରେ ବଡ଼ ସ୍କୋର୍‍ କରି ପାରିନାହାନ୍ତି। ଏଦୁହିଁଙ୍କୁ ଛାଡ଼ି ୱିକେଟ ରକ୍ଷକ ସୁଜିତ ଲେଙ୍କାଙ୍କୁ ମଧ୍ୟ ବଡ଼ ସ୍କୋର୍‍ କରିବାକୁ ପଡ଼ିବ। ହରିୟାଣା ବିପକ୍ଷ ମ୍ୟାଚ୍‍ରେ ଓଡ଼ିଶା ଗୋଟିଏ ଇନିଂସରେ ବୋଲିଂ କରିଥିବା ବେଳେ ଦେବବ୍ରତ ପ୍ରଧାନ ୩ଟି ଏବଂ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ ପରେ ଦେଓଧର ଟ୍ରଫି ଖେଳି ୨ଟି ମ୍ୟାଚ୍‍ରୁ ୬ଟି ୱିକେଟ ନେଇଥିବା ବାମହାତି ସ୍ପିନର ପପ୍ପୁ ରାୟ ପ୍ରଥମ ମ୍ୟାରରେ ସେପରି ପ୍ରଭାବଶାଳୀ ବୋଲିଂ କରି ପାରିନାହାନ୍ତି। ସେ ହରିୟାଣାର ମାତ୍ର ଗୋଟିଏ ୱିକେଟ ପାଇଥିଲେ। ତେଣୁ ତାଙ୍କୁ ମଧ୍ୟ ପ୍ରଦର୍ଶନରେ ଉନ୍ନତି ଆଣିବା ଆବଶ୍ୟକ। ତେବେ ଓଡ଼ିଶା ପାଇଁ ଏକ ଖୁସିର କଥା ଯେ ୩ ଦିନ ତଳେ ପିତାଙ୍କୁ ହରାଇଥିବା ପେସ୍‍ ବୋଲର ବସନ୍ତ ମହାନ୍ତି ଏହି ମ୍ୟାଚ୍‍ ଖେଳିବାକୁ ଯାଉଛନ୍ତି। ଫଳରେ ଦୁଇ ପେସ୍‍ ବୋଲର ରାଜେଶ ଓ ସୂର୍ଯ୍ୟକାନ୍ତ ମଧ୍ୟରୁ ଜଣେ ବାହାରେ ବସିବା ନିଶ୍ଚିତ।
କିଟ୍‍ର ପିଚରେ  ସାମାନ୍ୟ ଘାସ ରହିଛି। ପୁଣି ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବାରୁ ସକାଳୁ ବଲ୍‍ ସ୍ୱିଙ୍ଗ୍‍ କରିପାରେ। ଏହାସହ ବସନ୍ତ ମହାନ୍ତି ଖେଳିବାର ଥିବାରୁ ଓଡ଼ିଶା ଟସ୍‍ ଜିତି ଫିଲ୍‍ଡିଂ ନେଇପାରେ। ଉତ୍ତର ପ୍ରଦେଶ ମଧ୍ୟ ସମାନ ରଣନୀତି କରିଛି ନିଶ୍ଚୟ। ତେଣୁ ଟସ୍‍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଉଭୟ ବ୍ୟାଟିଂ ଓ ବୋଲିଂ ସାମର୍ଥ୍ୟରେ ଆଗୁଆ ଥିବା ଉତ୍ତର ପ୍ରଦେଶ ମ୍ୟାଚରେ ଫେଭରିଟ୍‍ ରହିଛି ଏବଂ କ୍ରମାଗତ ୨ୟ ବିଜୟ ଆଶାରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶାକୁ ଆଗକୁ କିଛି ସହଜ ମ୍ୟାଚ୍‍ ଖେଳିବାର ଥିବାରୁ ଏହି ମ୍ୟାଚ୍‍ରୁ କିଛି ପଏଣ୍ଟ ଯୋଗାଡ଼ ଲକ୍ଷ୍ୟରେ ରହିଛି।

Leave A Reply