୯ମ ଜାତୀୟ ଲେଗ କ୍ରିକେଟରେ ଓଡିଶା ଦଳ ଚାମ୍ପିୟନ

ସମ୍ବଲପୁର: ଉତ୍ତର ପ୍ରଦେଶର ମଥୁରା ଠାରେ ଅନୁଷ୍ଠିତ ୯ମ ଜାତୀୟ ଲେଗ କ୍ରିକେଟ ପ୍ରତିଯୋଗୀତାରେ ଓଡିଶା ଦଳ ଚାମ୍ପିୟନ ହୋଇଛି। ଗତ ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆୟୋଜିତ ୩ ଦିନିଆ ଜାତୀୟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ସମେତ ସମୁଦାୟ ୬ଟି ଦଳ ଭାଗ ନେଇଥିଲେ। ବିଭିନ୍ନ ଗ୍ରୁପ ମ୍ୟାଚରେ ଓଡିଶା ଦଳ ଉତ୍ତରପ୍ରଦେଶ (ବି) ଓ ତେଲେଙ୍ଗାନା ରାଜ୍ୟର ଦଳ ଏବଂ ସେମିଫାଇନାଲ ମ୍ୟାଚରେ ଉତ୍ତର ପ୍ରଦେଶ (ଏ) ଦଳଗୁଡିକୁ ପରାସ୍ତ କରି ଫାଇନାଲରେ ସ୍ଥାନ ଲାଭ କରିଥିଲା।

ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦିଲ୍ଲୀ ଦଳ ସହିତ ଓଡିଶା ଦଳର ସଂଘର୍ଷ ହୋଇଥିଲା। ଓଡିଶା ଦଳ ଟସ ହାରି ପ୍ରଥମେ ବୋଲିଂ କରି ମାତ୍ର ୮ ଓଭରରେ ୧୬୩ ରନ ବିନିମୟରେ ଦିଲ୍ଲୀ ଦଳକୁ ଅଲ ଆଉଟ କରି ଦେଇଥିଲା। ଏହାର ଜବାବରେ ଓଡିଶା ଦଳ ୯ ଓଭର ଓ ୮ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଓଡିଶା ଦଳ ପକ୍ଷରୁ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ୧୫ ଜଣିଆ ଦଳରେ ଚନ୍ଦନ ରାୟ (ଅଧିନାୟକ), ତୁଷାର ମେହେର (ଉପ ଅଧିନାୟକ), ସୌମ୍ୟ ରଞ୍ଜନ ସାହୁ, ତୁଷାର ସିଂଦେଓ, କମଲଜିତ ସିଂ, ସୁରଜ ମିଞ୍ଜ, ଅଂଶୁମାନ ବେହେରା, ସୁନୀଲ ମୁଣ୍ଡା, ବିନୋଦ ଓରାମ, ସୌମ୍ୟ ରଞ୍ଜନ ବେହେରା, ଆଶିଷ ଲାକ୍ରା, ସୌରଭ କୁମାର ଦେଓ, ସିଦ୍ଧାନ୍ତ ସିଂ, ରୋହିତ ଉପାଧ୍ୟାୟ ଓ ନିଖିଲ ମୁଣ୍ଡା ସାମିଲ ହୋଇଥିଲେ। ଦଳର ବିଜୟରେ ଅଧିନାୟକ ଚନ୍ଦନ ରାୟ ଖୁସି ଜାହିର କରିବା ସହିତ ଯୁବ ଓ ପ୍ରତିଭାବାନ ଦଳ ଯୋଗୁଁ ଏହା ସମ୍ଭବ ହେଲା ବୋଲି କହିଛନ୍ତି। ଓଡିଶା ଲେଗ କ୍ରିକେଟର ରାଜ୍ୟ ସାଧାରଣ ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ ବିଜୟୀ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ଓଡିଶା ଲେଗ କ୍ରିକେଟ ସାରା ବିଶ୍ୱ ଓ ଭାରତରେ ନୁଆ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି। ସୁଚନାଯୋଗ୍ୟ ଯେ, ବିଗତ ୨ ମାସ ଧରି ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଓଡିଶା ଦଳ ଅଭ୍ୟାସରତ କରିଥିଲା।

Comments are closed.