ଓଡ଼ିଶା ସଫଳ – ୫ ବର୍ଷରେ ୧୦ ବିଶ୍ଵସ୍ଥରୀୟ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶା ଦେଶର ୧ ନମ୍ବର କ୍ରୀଡ଼ା ଆୟୋଜକ ରାଜ୍ୟରେ ପରିଣତ ହୋଇଛି। ବାରବାଟୀରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ଆୟୋଜନରେ ଓଡ଼ିଶାର ପାରିଲାପଣିଆ ସୀମିତ ହୋଇ ରହିନାହିଁ। କ୍ରିକେଟ ସମେତ ହକି, ଆଥ୍‌ଲେଟିକ୍‌ସ, ଟେନିସ, ଟେବୁଲ ଟେନିସ୍‌, ରଗ୍‌ବୀ, ଓ ଫୁଟବଲ ଭଳି କ୍ରୀଡ଼ାରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୫ ବର୍ଷ ମଧ୍ୟରେ ୧୦ଟି ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ସଫଳ ହୋଇଛି। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ୍‌ର ସଫଳ ଆୟୋଜନ ଓଡ଼ିଶାକୁ ଏହି ସଫଳତାରେ ଆଉ ପାଦେ ଆଗକୁ ନେଇଛି। ପୁଣି ଏହି ସଫଳ ଆୟୋଜନ ସହ ଓଡ଼ିଶା ରାଜ୍ୟ ଟିଟି ଆସୋସିଏସନ୍ ମଧ୍ୟ ପ୍ରଶଂସିତ ହୋଇଛି।

୨୦୧୩ରେ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପ୍ଲେକ୍ସ ନିର୍ମାଣ ହେବା ପରେ ୨୦୧୪ ଡିସେମ୍ବର ୬ରୁ ୧୪ ପର୍ଯ୍ୟନ୍ତ ଚମ୍ପିଆନ୍‌ସ ଟ୍ରଫି ହକି, ୨୦୧୫ରେ କଳିଙ୍ଗ ଷ୍ଟାଡ଼ିୟମରେ ଭାରତ ଓ ଜାପାନ ମଧ୍ୟରେ ୩ ଟିକିଆ ହକି ଟେଷ୍ଟ ସିରିଜ୍‌, ୨୦୧୭ ଜୁଲାଇ ୫ରୁ ୯ ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ୨୧ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା, ୨୦୧୭ ଡିସେମ୍ବର ୧ରୁ ୧୦ ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍‌ଆଇଏଚ୍‌ ହକି ବିଶ୍ବ ଲିଗ୍‌ ଫାଇନାଲ, ୨୦୧୮ ଫେବୃଆରୀ-ମାର୍ଚ୍ଚରେ ଆଇଟିଏଫ ଟେନିସ ପ୍ରତିଯୋଗିତା ଓ ଅକ୍ଟୋବର ୧୨ରୁ ୧୫ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ବାଳିକା ଏସୀୟ ରଗ୍‌ବୀ ଚାମ୍ପିଅନସିପ୍‌, ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ହକି କ‌େ‌ମ୍ପ୍ଲକ୍ସରେ ଖେଳା ଯାଇଥିବା ୧୪ଶ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ପରେ ଓଡ଼ିଶା ବିଶ୍ବରେ ପ୍ରଶଂସାର ପାତ୍ର ହୋଇଥିଲା।

୨୦୧୯ ଫେବୃଆରୀରେ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ମହିଳା ଫୁଟବଲ ପ୍ରତିଯୋଗିତା ଭୁବନେଶ୍ବରରେ ଆୟୋଜନ ହୋଇଛି। ଜୁନ୍‌ ୬ରୁ ୧୫ ପର୍ୟ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡରେ ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌ ସଫଳତାର ସହିତ ଆୟୋଜିତ ହୋଇ ପାରିଥିଲା। ଆସନ୍ତା ନଭେମ୍ବରରେ ଏସୀୟ ନୌଚାଳନା ପ୍ରତିଯୋଗିତା, ଅଲିମ୍ପିକ୍‌ସ ଯୋଗ୍ୟତା ପର୍ୟ୍ୟାୟ ହକି ସହ ୨୦୨୦ରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଫୁଟବଲ ଆୟୋଜନ ନେଇ ମଧ୍ୟ ଲକ୍ଷ୍ୟରହିଛି।

Comments are closed.