ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ୍

୨୫ଟି ଶିଳ୍ପାନୁଷ୍ଠାନକୁ ୫ଷ୍ଟାର , ୭୩ଟିକୁ ୧ ଷ୍ଟାର

ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। ନିକଟରେ ପ୍ରକାଶିତ ହୋଇଥିବା ଏହି ରେଟିଙ୍ଗ ଅନୁସାରେ, ଓଡ଼ିଶାରେ ୭୩ଟି ଶିଳ୍ପାନୁଷ୍ଠାନର ପରିବେଶ ପାରଦର୍ଶିତା ଧାର୍ୟ୍ୟ ମାନକ ଠାରୁ କମ୍ ରହିଥିବାର ଜଣା ପଡ଼ିଛି। ଡିସେମ୍ବର ମାସର ରେଟିଙ୍ଗ୍ ପ୍ରକ୍ରିୟାରେ ୧୦୭ଟି ଶିଳ୍ପାନୁଷ୍ଠାନକୁ ସାମିଲ କରାଯାଇଥିଲା। ଏହି ଶିଳ୍ପାନୁଷ୍ଠାନଗୁଡିକ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଚିହ୍ନିତ ୧୭ ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରେ ଅନ୍ତର୍ଭୁକ୍ତ। ୧୦୭ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ କେବଳ ୨୫ଟି ଶିଳ୍ପାନୁଷ୍ଠାନକୁ ୫ଷ୍ଟାର ମାନ୍ୟତା ମିଳିଥିବା ବେଳେ ୬ଟି ଶିଳ୍ପାନୁଷ୍ଠାନକୁ ୪ଷ୍ଟାର ଓ ଗୋଟିଏ ଶିଳ୍ପାନୁଷ୍ଠାନକୁ ୨ଷ୍ଟାର ମାନ୍ୟତା ମିଳିଛି। ବାକି ୭୩ଟି ଶିଳ୍ପାନୁଷ୍ଠାନ ୧ ଷ୍ଟାର ମାନ୍ୟତା ପାଇଛନ୍ତି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଚିହ୍ନିତ ୧୭ ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରେ ଓଡ଼ିଶାରେ ୧୩୦ରୁ ଉର୍ଦ୍ଧ୍ୱ ଶିଳ୍ପାନୁଷ୍ଠାନ ରହିଛନ୍ତି। ଡିସେମ୍ବର ମାସର ରେଟିଙ୍ଗ ଅନୁସାରେ ସମନ୍ୱିତ ଇସ୍ପାତ(ଇନଟିଗ୍ରେଟେଡ଼ ଷ୍ଟିଲ) ଶିଳ୍ପାନୁଷ୍ଠାନ ଗୁଡିକ ମଧ୍ୟରୁ ୭୦ପ୍ରତିଶତ ଶିଳ୍ପାନୁଷ୍ଠାନ ୧ ଷ୍ଟାର ମାନ୍ୟତା ପାଇଛନ୍ତି। ରାଉରକେଲା ଶିଳ୍ପାଞ୍ଚଳର ୩୦ଟି ଶିଳ୍ପାନୁଷ୍ଠାନ ଏହି ରେଟିଙ୍ଗ ପ୍ରକ୍ରିୟାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ଟି ଶିଳ୍ପାନୁଷ୍ଠାନକୁ ୧ ଷ୍ଟାର ମାନ୍ୟତା ମିଳିଛି।
ସୂଚନାଯୋଗ୍ୟ, ଓଡ଼ିଶାର ପ୍ରମୁଖ ଶିଳ୍ପାନୁଷ୍ଠାନଗୁଡିକରୁ ମିଳୁଥିବା ନିରନ୍ତର ନିର୍ଗମନ ତଥ୍ୟ ଅନୁସାରେ ଓଡିଶା ଷ୍ଟାର ରେଟିଙ୍ଗ ମାନ୍ୟତା ପ୍ରସ୍ତୁତ କରାଯାଇଥାଏ। ଏହା ପ୍ରତିମାସରେ ଗଣନା କରାଯାଏ ଓ ରେଟିଙ୍ଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୱେବସାଇଟ ଙ୍ଗଙ୍ଗଙ୍ଗ.କ୍ଟଗ୍ଦକ୍ଟ୍ରମଭ.ସଦ୍ଭଲକ୍ଟରେ ଉପଲବ୍ଧ ହୋଇଥାଏ। ଓଡ଼ିଶା ଷ୍ଟାର ରେଟିଙ୍ଗ ହେଉଛି ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ କାର୍ୟ୍ୟକ୍ରମ। ଏହା ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ବୃଦ୍ଧି କରିବା ଦିଗରେ ଲକ୍ଷ୍ୟ ରଖିଛି। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହି କାର୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।

ଦୁଇଟି ଜିନିଷକୁ ହିସାବକୁ ନେଇ ଓଡ଼ିଶା ଷ୍ଟାର ରେଟିଙ୍ଗ୍ ଗଣନା କରାଯାଇଥାଏ। ସେଗୁଡିକ ହେଲା ପ୍ରଦୂଷଣ ତଥ୍ୟର ଉପଲବ୍ଧତା ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଧାର୍ୟ୍ୟ ମାନକ ଠାରୁ ଏହି ଉପଲବ୍ଧ ତଥ୍ୟ କେତେ ପରିମାଣରେ ଅଧିକ। ଗତ ଫନି ମହାବାତ୍ୟା ପରେ ତଥ୍ୟ ଉପଲବ୍ଧତା ବାଧା ପ୍ରାପ୍ତ ହୋଇଥିବାରୁ ଏହି ରେଟିଙ୍ଗ ଗଣନାକୁ ମେ’ ମାସରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖା ଯାଇଥିଲା। ଏହି ସମସ୍ୟାର ସମାଧାନ ପରେ ଅକ୍ଟୋବର ମାସରୁ ରେଟିଙ୍ଗ ଗଣନା ପୁନର୍ବାର ଆରମ୍ଭ ହୋଇଥିଲା। ୨୦୧୯ ମସିହା ଅକ୍ଟୋବର ମାସରେ ଏହି ରେଟିଙ୍ଗ ପ୍ରକ୍ରିୟାରେ ୪୩ଟି ଶିଳ୍ପାନୁଷ୍ଠାନ ସାମିଲ ହୋଇଥିବା ବେଳେ ଶିଳାନୁଷ୍ଠାନମାନଙ୍କ ସଂଖ୍ୟା ନଭେମ୍ବରରେ ୮୧କୁ ଓ ଡିସେମ୍ବରରେ ୧୦୭କୁ ବୃଦ୍ଧି ପାଇଥିଲା। ଏ ସମ୍ପର୍କରେ ମତ ଦେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ କୁହନ୍ତି ଯେ, ରାଜ୍ୟର ସମସ୍ତ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନକୁ ମାର୍ଚ୍ଚ ମାସ ସୁଦ୍ଧା ଏହି ରେଟିଙ୍ଗ ପ୍ରକ୍ରିୟାରେ ସାମିଲ କରିବା ପାଇଁ ବୋର୍ଡ ଲକ୍ଷ୍ୟ ରଖିଛି। ପ୍ରଦୂଷଣ ତଥ୍ୟର ସାର୍ଵଜନୀକରଣ ଶିଳ୍ପାନୁଷ୍ଠାନଗୁଡିକୁ ନିଜର ପରିବେଶ କାର୍ୟ୍ୟଦକ୍ଷତା ବୃଦ୍ଧି ପାଇଁ ପ୍ରେରଣା ଦେବ। ଏହା ସେମାନଙ୍କ ଭିତରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦିତାମୂଳକ ବାତାବରଣ ସୃଷ୍ଟି କରିବା ସହ ଶିଳାନୁଷ୍ଠାନଗୁଡିକର ନିର୍ଗମନକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ।

Comments are closed.