ନମୁନା ପରୀକ୍ଷଣରେ ୫ମ ସ୍ଥାନରେ ଓଡ଼ିଶା

କଟକ: ଦିନକୁ ୫୦ ହଜାର କରୋନା ନମୁନା ପରୀକ୍ଷା ଲାଗି ଓଡ଼ିଶା ଆଗଉଛି। ଦୁଇଦିନ ହେଲା ଦୈନିକ ୪୦ ହଜାରରୁ ଅଧିକ ପରୀକ୍ଷା କରାଯାଉଛି। ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କୋଭିଡ ଟେଷ୍ଟ କରୁଥିବା ରାଜ୍ୟଙ୍କ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଓଡିଶା। ଦୈନିକ ଓଡିଶାରେ ପ୍ରତି ୧୦ ଲକ୍ଷ ଲୋକରେ ୮୬୭ ଜଣଙ୍କ ପରୀକ୍ଷା କରାଯାଉଛି। ଏ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ସର୍ବାଧିକ ୨୮୨୨, ଗୋଆ ୨୧୬୭, କେରଳ ୧୨୩୩ ଓ ତାମିଲନାଡୁରେ ୯୨୫ ଜଣଙ୍କର ପରୀକ୍ଷା କରାଯାଉଥିବା ଜଣାପଡିଛି। ଗତ ୫ ଦିନର ରେକର୍ଡ ଦେଖିଲେ ଓଡିଶାରେ ପାଖାପାଖି ୧ ଲକ୍ଷ ୩୦ ହଜାର ନମୁନା ପରୀକ୍ଷା କରାଯାଇଛି।

ଗତ କାଲି ପ୍ରାୟ ୪୨ ହଜାର ୭୬୧ ଟି ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩୬,୦୦୨ଟି ଆଣ୍ଟିଜେନ୍‌ ଟେଷ୍ଟ ରହିଥିବା ୬,୬୩୫ଟି ଆରଟିପିସିଆର ଟେଷ୍ଟ ହୋଇଛି। ବର୍ତ୍ତମାନ ରାଜ୍ୟ ସମସ୍ତ ସରକାରୀ କଲେଜ ଓ ହସ୍ପିଟାଲରେ ଟେଷ୍ଟ କରାଯାଉଛି। ଏପରିକି କେତେକ ଘରୋଇ ହସ୍ପିଟାଲକୁ ମଧ୍ୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ମଧ୍ୟରେ ଟେଷ୍ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଅଧିକ ପରୀକ୍ଷା ଦ୍ବାରା କରୋନା ମୁକାବିଲା ସହଜ ହେବ ବୋଲି ଦୈନିକ ଟେଷ୍ଟିଂ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଓଡ଼ିଶାରେ ମୃତ୍ୟୁ ହାର କମ ରହିଛି। ସେହିଭଳି ସୁସ୍ଥତା ହାର ବି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମୁନା ପରୀକ୍ଷା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ, ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ସ୍ୱେଚ୍ଛାକୃତ ଭାବରେ ପରୀକ୍ଷା କରାଇ ନିଅନ୍ତୁ। ଫଳରେ ଏହି ଲଢେଇକୁ ଜିତି ହେବ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିସାରିଛନ୍ତି।

Comments are closed.