ଖେଳପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନିଶ୍ଚିତ ଅଲିମ୍ପିଆଡ ସୃଷ୍ଟି କରିବ – କୁମ୍ବଲେ

ଭୁବନେଶ୍ୱର: ଖେଳ ପାଇଁ ପିଲାଟି ବେଳୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। ସ୍କୁଲ୍‌ସ୍ତରରୁ ଆରମ୍ଭକରି କଲେଜ୍‌ସ୍ତର ପର୍ୟ୍ୟନ୍ତ ଖେଳ ଭିତ୍ତିଭୂମି ସୁଦୃଢ଼ କରାଯିବା ଆବଶ୍ୟକ। ଏହାଦ୍ବାରା ଟେବୁଲ ଟେନିସ, ବାସ୍କେଟବଲ, ବ୍ୟାଡମିଣ୍ଟନ, ଟେନିସ ଓ ଆଥଲେଟିକ୍‌ସରେ ଅଧିକ ଖେଳାଳି ବାହାରିବେ ଏବଂ ସେମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବଢ଼ିବ। ଫଳରେ ରାଜ୍ୟରୁ ଅଧିକ ଭଲ ଖେଳାଳି ସୃ​‌ଷ୍ଟି ହୋଇପାରିବେ। ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ତୀବ୍ର ହେଲେ ଆଗାମୀ ଦିନରେ ଓଡ଼ିଶାରୁ ନିଶ୍ଚିତ ଅଲିମ୍ପିଆଡ ବାହାରି ରାଜ୍ୟ ତଥା ଦେଶକୁ ଗୌରାବାନ୍ବିତ କରିପାରିବେ। ଖେଳରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ଖେଳପ୍ରତି ରାଜ୍ୟ ସରକାରଙ୍କ ଥିବା ଆନ୍ତରିକତାରୁ ହିଁ ଏହା ଆଗାମୀ ଦିନରେ ସମ୍ଭବ ହୋଇପାରିବ ବୋଲି ଓଡ଼ିଶା ଜ୍ଞାନ ପୁଞ୍ଜ କାର୍ୟ୍ୟକ୍ରମରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଅନୀଲ କୁମ୍ବଲେ କହିଛନ୍ତି।

ଶନିବାର ଅପରାହ୍ନରେ ଲୋକସେବା ଭବନର ଗ୍ରାମ୍ୟ ଉନ୍ନୟନ ସଭାକକ୍ଷରେ ଓକେଏଚ ବତ୍କୃତା କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ୱିକେଟ ନେଇଥିବା କିମ୍ବଦନ୍ତୀ ଲେଗ୍‌ସ୍ପିନର ଅନୀଲ କୁମ୍ବଲେ ଯୋଗ ଦେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ରାଜ୍ୟରେ ଖେଳକୁ ଗୁରୁତ୍ବ ଦେଉଛନ୍ତି; ତା’ ଉପରେ କୁମ୍ବଲେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ; ଗତବର୍ଷ ଓଡ଼ିଶାରେ ବିଶ୍ବ ପୁରୁଷ ହକି କପ ଆୟୋଜନ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହାପରେ ଖେଳକୁ ରାଜ୍ୟ ସରକାର ଗୁରୁତ୍ବ ଦେଇ ଏହାର ଭିତ୍ତିଭୂମି ସୁଦୃଢ଼ ଦିଗରେ ଧ୍ୟାନ ଦେଉଛନ୍ତି; ଯାହାକି ବତ୍କୃତା କାର୍ୟ୍ୟକ୍ରମରେ ଜଣେ ଖେଳାଳିଙ୍କୁ ସାମିଲକରି ବାର୍ତ୍ତା ଦେଇଛନ୍ତି।

କୁମ୍ବଲେ ଆହୁରି କହିଥିଲେ, ଦେଶରେ ଓଡ଼ିଶା ଖେଳରେ ଏବେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି। କ୍ରୀଡ଼ାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟିକରିଛି। ଏହି ଧାରା ବଜାୟ ରହିବା ଆବଶ୍ୟକ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କୁମ୍ବଲେ କହିଥିଲେ, ପାକିସ୍ତାନ ବିରୋଧରେ ସିରିଜ ଜିତିବା ଏବଂ ଏକ ଇନିଂସରେ ୧୦ ୱିକେଟ ନେବା ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଦିନ ହୋଇ ରହିଛି ଓ ରହିବ। ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଉତ୍ତମ ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶାରୁ ମଧ୍ୟ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବା ଦରକାର।

Comments are closed.