ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଓଡ଼ିଶା: ବେକାରୀ ହାର ୩%ରୁ କମ୍

ଦେଶରେ ସାମଗ୍ରିକ ବେକାରୀ ହାର ହ୍ରାସ ପାଉଛି । ଏହା ସତ୍ବେ ୧୦ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ସେପ୍ଟେମ୍ବରରେ ଏହି ରାଜ୍ୟଗୁଡ଼ିକରେ ବେକାରୀ ହାର ୨ ଅଙ୍କରେ ରହିଛି । ଏପରିକି ଉତ୍ତରାଖଣ୍ଡ ଓ ହରିଆଣା ପରି ରାଜ୍ୟରେ ବେକାରୀ ସ୍ଥିତି ଅତ୍ୟନ୍ତ ଗୁରୁତର ସ୍ଥିତିରେ ପହଞ୍ଚିଛି । ଉତ୍ତରାଖଣ୍ଡରେ ବେକାରୀ ହାର ୨୨.୩% ଓ ହରିଆଣାରେ ୧୯.୭%  ରହିଛି । ତେବେ ଓଡ଼ିଶା, ଛତିଶଗଡ଼,କର୍ଣାଟକ ଓ ଆସାମ ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ୪ ରାଜ୍ୟରେ ବେକାରୀ ହାର ଦେଶରେ ସର୍ବନିମ୍ନ ଓ ୪%ରୁ କମ । ନିଯୁକ୍ତି ସୁଯୋଗ ସୃଷ୍ଟିରେ ସଫଳତା ଯୋଗୁଁ ଏହି ରାଜ୍ୟରେ ବେକାରୀ ହାର କମିଥିବା ସୂଚନା ମିଳିଛି।

୧୦ ରାଜ୍ୟରେ ବେକାରୀ ହାର ସର୍ବାଧିକ 

ସେଣ୍ଟର ଫର ଇଣ୍ଡିଆନ ଇକୋନୋମୀ ( ସିଏମଆଇଇ) ତଥ୍ୟ ଅନୁସାରେ ଖରିଫ ଋତୁରେ ଫସଲ ଅମଳ ପରେ ମୌସୁମୀ ଯୋଗୁଁ କାମଧନ୍ଦାର ଅଭାବ, ମନରେଗାରେ କମ୍ ନିଯୁକ୍ତି ଏବଂ ସେବା ଓ ଶିଳ୍ପ କ୍ଷେତ୍ରରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ବାତାବରଣ ସୃଷ୍ଟି ନ ହୋଇ ପାରିବା ଯୋଗୁଁ ଦେଶରେ ନିଯୁକ୍ତି ହ୍ରାସ ପାଇଛି ଓ ବେକାରୀ ବୃଦ୍ଧି ପାଇଛି । ତେବେ ବିଡ଼ମ୍ବନା ହେଉଛି ୧୦ଟି ରାଜ୍ୟରେ ଏହି ସ୍ଥିତି ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଛି । ଉତ୍ତରାଖଣ୍ଡ ଓ ହରିଆଣା ଭିନ୍ନ ତ୍ରିପୁରାରେ ବେକାରୀ ହାର ୧୭.୪%ରେ ପହଞ୍ଚିଛି । ସେହିପରି  ଜାମ୍ମୁ କାଶ୍ମୀର (୧୬.୨%), ଗୋଆ (୧୫.୪%), ରାଜସ୍ଥାନ (୧୫.୩%), ଦିଲ୍ଲୀ (୧୨.୫%), ହିମାଚଳ ପ୍ରଦେଶ (୧୨.୦%), ବିହାର (୧୧.୯%), ପୁଡୁଚେରୀ (୧୦.୯%) ରେ ବେକାରୀ ହାର ଅତ୍ୟନ୍ତ ସଙ୍ଗୀନ ସ୍ଥିତିର ରହିଛି ।

କରୋନା ସଂକ୍ରମଣଜନିତ ଲକଡ଼ାଉନ ଆରମ୍ଭ (ଏପ୍ରିଲ ମାସ) ସମୟରେ ଦେଶରେ ବେକାରୀ ହାର : (ସୂତ୍ର-ସିଏମଆଇଇ)

ଗ୍ରାମାଞ୍ଚଳ ଠାରୁ ସହରରେ ବେକାରୀ ଅଧିକ

କରୋନା ଯୋଗୁଁ ସେପ୍ଟେମ୍ବରରେ ସହରାଞ୍ଚଳରେ ଗ୍ରାମାଞ୍ଚଳ ଅପେକ୍ଷା ବେକାରୀ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଜାତୀୟ ବେକାରୀ ହାର ୬.୬୭% ହୋଇଛି। ସିଏମଆଇଇର ତଥ୍ୟ ଅନୁଯାୟୀ ଦେଶ ଓ ରାଜ୍ୟଗୁଡ଼ିକରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବେକାରୀ ହାର ଅଧିକ । ସହରାଞ୍ଚଳରେ ବେକାରୀ ସଂଖ୍ୟା  ୮.୪୫% ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୫.୮୬% ରହିଛି ।

ଦେଶରୁ ଲକଡ଼ାଉନ ଉଠିବା ପରେ ଗତ ଅଗଷ୍ଟମାସରେ ବେକାରୀ ରିପୋର୍ଟ (ସୂତ୍ର- ସିଏମଆଇଇ)

୧୩ରାଜ୍ୟରେ ବେକାରୀ ହାର ଜାତୀୟ ହାରଠାରୁ ଅଧିକ 

ସେପ୍ଟେମ୍ବରରେ ଦେଶରେ ହାରାହାରି ବେକାରୀ ହାର ୬.୬୭% ରହିଛି। ତେବେ ସିଏମଆଇଇ ପରିସଂଖ୍ୟାନ ଅନୁସାରେ ଦେଶର ୧୩ ଟି ରାଜ୍ୟରେ ବେକାରୀ ହାର ଜାତୀୟ ହାରଠାରୁ ଅଧିକ । ପୂର୍ବରୁ ଉଲ୍ଲିଖିତ ୧୦ ରାଜ୍ୟ ବ୍ୟତୀତ  ପଶ୍ଚିମବଙ୍ଗ (୯.୩%), ପଞ୍ଜାବ (୯.୬%) ଏବଂ ଝାଡ଼ଖଣ୍ଡ (୮.୨%)ରେ ଜାତୀୟ ହାର ତୁଳନାରେ ବେକାରୀ ହାର ଅଧିକ

ଚାରିଟି ରାଜ୍ୟରେ ବେକାରୀ ହାର ୩% ତଳେ

ଏକପକ୍ଷରେ ଦେଶର ପ୍ରାୟ ଅଧା ରାଜ୍ୟର ବେକାରୀ ହାର ଜାତୀୟ ହାରଠାରୁ ଅଧିକ ଥିବାବେଳେ କେବଳ ୪ଟି ରାଜ୍ୟ ବେକାରୀ ନିୟନ୍ତ୍ରଣରେ ଅନେକାଂଶରେ ସଫଳ ହୋଇଛନ୍ତି । ଆସାମ, ଛତିଶଗଡ଼, ଓଡ଼ିଶା ଓ କର୍ଣ୍ଣାଟକରେ ବେକାରୀ ହାର ମାତ୍ର ୩%ରୁ କମ୍ ।

କେଉଁ ରାଜ୍ୟରେ କେତେ ବେକାରୀ

ସିଏମଆଇଇ ପରିସଂଖ୍ୟାନ ଅନୁସାରେ  ଆସାମରେ ୧.୨% ବେକାର ଥିବାବେଳେ ଛତିଶଗଡରେ ୨.୦ %,  ଓଡିଶାରେ ୨.୧%, କର୍ଣ୍ଣାଟକରେ ୨.୪% ବେକାରୀ ହାର ରହିଛି । ସେହିପରି  ତେଲେଙ୍ଗାନାରେ ୩.୩% , ଆନ୍ଧ୍ରପ୍ରଦେଶରେ ୬.୪%, ଗୁଜୁରାଟରେ ୩.୪%, ଝାଡ଼ଖଣ୍ଡରେ ୮.୨%, କେରଳରେ ୫.୯%,  ମଧ୍ୟପ୍ରଦେଶରେ ୩.୯%, ମହାରାଷ୍ଟ୍ରରେ ୪.୫%, ମେଘାଳୟରେ ୪.୩%, ପଞ୍ଜାବରେ ୯.୬%, ସିକ୍କିମରେ ୫.୭%, ତାମିଲନାଡୁରେ ୫.୦%, ଉତ୍ତରପ୍ରଦେଶରେ ୪.୨%, ପଶ୍ଚିମବଙ୍ଗରେ ବେକାରୀ ହାର ୯.୩% ।

Comments are closed.