ଓଡ଼ିଶା ବନ୍ଦର ଦେଇ ବିଦେଶକୁ ରପ୍ତାନି ହେବ ସାମୁଦ୍ରିକ ମାଛ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟର ବନ୍ଦରଗୁଡ଼ିକ ଦେଇ ବିଦେଶକୁ ସାମୁଦ୍ରିକ ମାଛ ରପ୍ତାନୀ କରାଯିବ। ଏଥିପାଇଁ ଯୋଜନା କରାଯାଉଛି। ଏ ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ। ଆଜି ଆୟୋଜିତ ରପ୍ତାନୀ ଉନ୍ନୟନ ବାଣିଜ୍ୟ ନିର୍ଦେଶାଳୟର ଏକ ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହା କହିଛନ୍ତି।

ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ଯୋଗଦେବା ପରେ ପ୍ରଥମ ବୈଠକ ଆୟୋଜନ କରି ଏହି ନିର୍ଦେଶାଳୟର ସମସ୍ତ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇଥିଲେ। ସଂପ୍ରତି ରାଜ୍ୟର ବନ୍ଦରଗୁଡ଼ିକରୁ ସାମୁଦ୍ରିକ ମାଛ ରପ୍ତାନୀ ପାଇଁ ସୁଯୋଗ ନଥିବା ଏବଂ ଏଥି ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ବନ୍ଦର ଉପରେ ନିର୍ଭର କରୁଥିବା ଅବଗତ ହେବା ପରେ ଏ ଦିଗରେ କି ଧରଣର ପଦକ୍ଷେପ ନିଆଯାଇ ରହିଥିବା ସମସ୍ୟାର ସମାଧାନ କରାଯାଇପାରିବ ତା’ଉପରେ ଅଧିକ ଅନୁଧ୍ୟାନ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ଖୁବ୍‌ଶୀଘ୍ର ଏହାର ଉପାୟ ବାହାର କରିବାକୁ ଏହି ମାସର ଦ୍ୱିତୀୟ ସପ୍ତାହରେ ବିଭାଗୀୟ ଅଧିକାରୀ, ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ, ରପ୍ତାନୀ ସହ ସଂପୃକ୍ତ ସଂସ୍ଥାଗୁଡ଼ିକୁ ନେଇ ଏକ ବୈଠକ କରିବାକୁ ସ୍ଥିର କରାଯାଇଥିଲା। ପାରାଦ୍ୱୀପ ବନ୍ଦର ଦେଇ ରପ୍ତାନୀ ସୁଯୋଗ ସୃଷ୍ଟି ହେଲେ ରାଜ୍ୟର ସମସ୍ତ ରପ୍ତାନୀକାରୀ ଉପକୃତ ହୋଇପାରିବେ ଏବଂ ଏହା ଦ୍ୱାରା ଅଧିକ ଖର୍ଚ୍ଚାନ୍ତରୁ ମୁକ୍ତି ମିଳିବା ସହ କମ୍‌ ସମୟ ମଧ୍ୟରେ ରପ୍ତାନୀ ହୋଇପାରିବ । ସେହିପରି କୃଷିଜାତ ଦ୍ରବ୍ୟର ରପ୍ତାନୀ ଅଭିବୃଦ୍ଧି ନିମନ୍ତେ ଆପେଡ଼ା ସଂସ୍ଥା ଓ ଅନ୍ୟାନ୍ୟସଂପୃକ୍ତ ସଂସ୍ଥାଗୁଡ଼ିକୁ ନେଇ ଅନୁରୂପ ବୈଠକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.