ଗ୍ରାମାଞ୍ଚଳ ଦକ୍ଷତା ବିକାଶରେ ଓଡ଼ିଶା ଶ୍ରେଷ୍ଠ

ମିଳିଲା ଜାତୀୟ ଓ ଆନ୍ତର୍ଜାତିକ ସ୍ୱୀକୃତି

-ରାଜ୍ୟକୁ ଜାତୀୟ ସାଧନ କେନ୍ଦ୍ରର ମାନ୍ୟତା,-କାର୍ଯ୍ୟକ୍ଷମ ହେବ ଅଧିକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଗ୍ରାମାଞ୍ଚଳରେ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଓଡ଼ିଶାକୁ ଜାତୀୟସ୍ତରରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି। ଏଥିସହ ଏକ୍ଷେତ୍ରରେ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟକୁ ଜାତୀୟ ସାଧନ କେନ୍ଦ୍ରଭାବେ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ପ୍ୟାରିସରେ ଆୟୋଜିତ ‘ଗ୍ଲୋବାଲ ସ୍କିଲ ମିଟ୍’ରେ ମଧ୍ୟ ଓଡ଼ିଶାକୁ ଗ୍ରାମାଞ୍ଚଳରେ ଦକ୍ଷତା ବିକାଶ କ୍ଷେତ୍ରରେ ସର୍ବୋକୃଷ୍ଟ (ବେଷ୍ଟ ସ୍କିଲିଂ ଷ୍ଟେଟ ଇନ ରୁରାଲ ସ୍କିଲ ଡେଭେଲପମେଣ୍ଟ)ଆନ୍ତର୍ଜାତିକ ମାନ୍ୟତା ମିଳିଛି। ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓରମାସର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି।
ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ କୁମାରସିଂ ଏ ବିଷୟରେ ସବିଶେଷ ସୂଚନା ଦେଇଥିଲେ। ଦୀନ ଦୟାଲ ଉପାଧ୍ୟାୟ ଯୋଜନାରେ ନିଯୁକ୍ତି ସଂଯୋଜିତ ଦକ୍ଷତା ବିକାଶ ଯୋଜନା କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ବୈଠକରେ ସମୀକ୍ଷା ହୋଇଥିଲା। ଗ୍ରାମାଞ୍ଚଳରେ ୧୮ରୁ ୩୫ ବର୍ଷ ଯୁବକଯୁବତୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଦୃଢ଼ ଅନୁପ୍ରେରଣା ସୃଷ୍ଟି କରିବା, ପ୍ରତିଟି ଘରେ ଏ ବାର୍ତ୍ତା ପହଞ୍ଚାଇବା ଏବଂ କେହି ଯେମିତି ଅଧାରୁ ତାଲିମ ଛାଡି ନଯାଆନ୍ତି ସେଥିପ୍ରତି ଯତ୍ନବାନ ହେବା ନିମନ୍ତେ ଶ୍ରୀ ତ୍ରିପାଠୀ ଓରମାସକୁ ନିର୍ଦେଶ ଦେଇଛନ୍ତି।
ଓରମାସ ଏହି ଯୋଜନାର ରାଜ୍ୟ ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ରାଜ୍ୟରୁ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ନିମନ୍ତେ ନିଯୁକ୍ତି ପରବର୍ତ୍ତୀ ସହାୟତା ପାଇଁ ବଡ ବଡ ସହରରେ ୩ଟି ନୂଆ ସ୍ଥାନାନ୍ତର ସହାୟତା କେନ୍ଦ୍ର (ମାଇଗ୍ରେସନ ସପୋର୍ଟ କେନ୍ଦ୍ର) ପ୍ରତିଷ୍ଠା କରିବାକୁ ବୈଠକରେ ସ୍ଥିର ହୋଇଛି। ହାଇଦ୍ରାବାଦ, ପୁଣେ ଏବଂ ଭୁବନେଶ୍ୱରଠାରେ ଏହି କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ତାମିଲନାଡୁର ତିରିପୁର, କର୍ଣ୍ଣାଟକର ବେଙ୍ଗାଲୁର ଏବଂ ରାଜସ୍ଥାନର ଭିୱାଡି ଠାରେ ଓଡ଼ିଶା ସରକାରଙ୍କର ଏହି ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ର ଗୁଡିକ ମାଧ୍ୟମରେ ଓଡ଼ିଶାରୁ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ନିଯୁକ୍ତିଦାତାଙ୍କ ସହ ଯୋଗାଯୋଗ, ଆଇନ ସହାୟତା, ଅଭିଯୋଗ ପ୍ରଶମନ ଆଦି ସହାୟତା ଯୋଗାଇଦିଆଯାଉଛି। ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଏବଂ ସାପ୍ତାହିକ ଓ ମାସିକ ବନ୍ଧୁ ମିଳନ ଆଦି ଆୟୋଜନ କରାଯାଉଛି। ବୈଠକରେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ୩ ବର୍ଷିଆ କାର୍ଯ୍ୟ ଯୋଜନା ବିଷୟରେ ସମୀକ୍ଷା ହୋଇଥିଲା। ଏହି ୩ ବର୍ଷରେ ୧,୫୦,୦୦୦ ଯୁବକଯୁବତୀଙ୍କୁ ପ୍ରାୟ ୧୫୪୬ କୋଟି ଟଙ୍କା ବିନିଯୋଗରେ ତାଲିମ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ମୃତି ରଂଜନ ପ୍ରଧାନ କହିଥିଲେ, ଚଳିତ ୨୦୧୯-୨୦ ବର୍ଷ ପାଇଁ ତାଲିମ ନେବାକୁ ଧାର୍ଯ୍ୟ ହୋଇଥିବା ୫୦,୦୦୦ ଯୁବକଯୁବତୀଙ୍କ ମଧ୍ୟରୁ ସେପ୍ଟେମ୍ବର ମାସ ୨୭ ତାରିଖ ସୁଦ୍ଧା ୨୦,୨୧୩ ଜଣଙ୍କୁ ତାଲିମ ଦିଆଯାଇଛି। ୨୦୧୮-୧୯ ବର୍ଷରେ ସମୁଦାୟ ୪୧,୩୦୮ ଜଣଙ୍କୁ ତାଲିମ ଦିଆଯାଇ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୧,୬୮୯ ଜଣଙ୍କୁ ନିଯୁକ୍ତି ମିଳିସାରିଛି। ୨୦୧୮-୧୯ ବର୍ଷରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ତାଲିମ ପାଇଁ ଯୁବକ ଯୁବତୀମାନଙ୍କୁ ମାଗଣାରେ ଖାଦ୍ୟ, ରହଣୀ ଏବଂ ଆନୁସଂଗିକ ସୁବିଧା ଯୋଗାଇ ଦିଆଯାଏ। ବିଭିନ୍ନ ପାଠ୍ୟକ୍ରମ ପାଇଁ ତଲିମ ଅବଧି ୩ ମାସରୁ ଏକବର୍ଷ ମଧ୍ୟରେ ହୋଇଥାଏ। ବୈଠକରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଂଜୟ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥଲେ।

Comments are closed.