ଆର୍ଥିକ ଦୁର୍ବଳ ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା କରୋନା ସହାୟତା ପାଇଁ ଦାବି

ଓଡିଶା ପ୍ରେସ୍‍ ଏକାଡେମୀର ୨୫ତମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ

ଭୁବନେଶ୍ୱର : ୨୫ ବର୍ଷ ତଳେ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଥିବା ଓଡିଶା ପ୍ରେସ୍‍ ଏକାଡେମୀର ୨୫ତମ ସ୍ୱନକ୍ଷତ୍ର ଉତ୍ସବ ସୋମବାର ଅପରାହ୍ନରେ ଏକାଡେମୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି ।
ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉଦ୍‍ଘାଟନ କରି କହିଲେ ଯେ ସହର ଓ ଗ୍ରାମାଂଚଳରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ସରକାର ଏହି ଜରୁରୀ ପରିସ୍ଥିତିରେ ସେମାନଙ୍କ ପରିବାର ପ୍ରତି ଦୃଷ୍ଟି ଦେବାକୁ ଡ. ଜ୍ଞାନେନ୍ଦ୍ର ସରକାରଙ୍କ ଠାରେ ଦୃଢ ଦାବି କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨ ମାସ ତଳେ କରୋନା ଭୂତାଣୁ ଦେଖାଦେବା ସମୟରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସହାୟତା ପ୍ରଦାନ କଲେ । କିନ୍ତୁ ୪ର୍ଥ ସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ କଥା ସରକାର ଭୁଲିଗଲେ । ଏଣୁ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ସହର ଓ ଗ୍ରାମାଂଚଳର ସାମ୍ବାଦିକମାନଙ୍କୁ ୨୦ ହଜାର ଟଙ୍କା ଅନ୍ୟୁନ ପକ୍ଷେ ସହାୟତା ରାଶି ଦେବା ପାଇଁ ସେ ଦାବି କରିଛନ୍ତି।
ବିଶିଷ୍ଟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ କହିଲେ ଯେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରିଛନ୍ତି ସତ କିନ୍ତୁ ବୃତିଗତ ଭାବେ ଅସୁବିଧାରେ ପଡୁଥିବା ସାମ୍ବାଦିକମାନଙ୍କ ପ୍ରତି ସରକାର ନ୍ୟାୟ ପ୍ରଦାନ କରିବାକୁ ଓ ସମ୍ବାଦିକମାନଙ୍କ ପାଇଁ ପେନସନ୍‍ର ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ ।
କାର୍ଯ୍ୟକ୍ରମକୁ ଏକାଡେମୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସଂଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ। ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଓଡିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କର ବହୁ ଅଭାବ ଅସୁବିଧା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂପାଦିକା ରୀତାଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା, ବଳରାମ ପ୍ରସାଦ ନନ୍ଦ, ତୁଷାର ପଟ୍ଟନାୟକ, ଆଲ୍‍ଫା ରାୟ ପ୍ରମୁଖ ଯୋଗ ଦେଇଥିଲେ । ଡ. ଜ୍ଞାନେନ୍ଦ୍ରଙ୍କୁ ଏହି ଅବସରରେ ଏକାଡେମୀର ପ୍ରତିଷ୍ଠାତା ସଂଜୟ କୁମାର ପ୍ରଧାନ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Comments are closed.