ଶୃଙ୍ଖଳିତ ଓ ସହନଶୀଳ ଆମ ପୁଲିସ

- ପ୍ଲାଜ୍‍ମା ଦାନ କଲେଣି ୧୦ରୁ ଊର୍ଦ୍ଧ୍ବ ପୁଲିସ

କଟକ: ଗୁରୁତର କରୋନା ସଂକ୍ରମିତଙ୍କୁ ପ୍ଲାଜ୍‍ମା ଥେରାପି ଚିକିତ୍ସା ଆରମ୍ଭ ହୋଇଛି। ଜଣେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜ୍‍ମାରୁ ହିଁ ଅନ୍ୟ ସଂକ୍ରମିତଙ୍କ ଚିକିତ୍ସା ହୋଇପାରିବ। ସଂକ୍ରମିତ ଜଣଙ୍କ ସୁସ୍ଥ ହେବାର ୪ସପ୍ତାହ ପରେ ସେ ପ୍ଲାଜ୍‍ମା ଦାନ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସରେ ପ୍ଲାଜ୍‍ମା ଦାନ ପ୍ରତି ଉତ୍ସାହ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗୁରୁବାର ରବୀନ୍ଦ୍ର ମହାରଣା, ସୁଦର୍ଶନ ସେଠୀ, ଶ୍ରୀପ୍ରସାଦ ଶ୍ରେଷ୍ଠା ଓ ବିଷ୍ଣୁ କୁମାର ପ୍ରଧାନ ୪ପୁଲିସ କର୍ମଚାରୀ ଏସ୍‍ସିବି ମେଡିକାଲରେ ପ୍ଲାଜ୍‍ମା ଦାନ କରିଥିଲେ। ଓଡ଼ିଶା ପୁଲିସରେ ସଂକ୍ରମିତଙ୍କ ମଧ୍ୟରୁ ୯୦ରୁ ଅଧିକ କର୍ମଚାରୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ଡିଜିପି ସୂଚନା ଦେଇଥିଲେ। ତନ୍ମଧ୍ୟରୁ ୧୦ରୁ ଅଧିକ ପୁଲିସ କର୍ମଚାରୀ ପ୍ଲାଜ୍‍ମା ଦାନ କରି ସାରିଲେଣି। ଅପରପକ୍ଷେ କ୍ୟାପିଟାଲ ହସ୍‌ପିଟାଲରେ ମଧ୍ୟ ଆଜି ଦୁଇଜଣ ପ୍ଲାଜ୍‌ମା ଦାନ କରିଥିବା ଜଣାପଡ଼ିଛି। ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଅଧିକରୁ ଅଧିକ ବ୍ୟକ୍ତି ବା ପୁଲିସ କର୍ମଚାରୀ ପ୍ଲାଜ୍‍ମା ଦାନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଉତ୍ସାହିତ କରାଯାଉଛି।
କରୋନାରେ ଆକ୍ରାନ୍ତହୋଇ ସୁସ୍ଥ ହୋଇଥିବା ୫ ଜଣ ଅଗ୍ନିଶମ କର୍ମଚାରୀ ପ୍ଲାଜ୍‍ମା ଦାନ କରିଥିଲେ। ପ୍ଲାଜ୍‍ମା ଦାନକୁ ଉତ୍ସାହିତ କରିବା ନିମେନ୍ତ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉକ୍ତ ୫ଜଣ ଅଗ୍ନିଶମ କର୍ମଚାରୀ ପ୍ରକାଶଚନ୍ଦ୍ର ମୁଦୁଲି, ତାପସକୁମାର ରାଉତ, ସନ୍ତୋଷକୁମାର ସାମଲ, ସତ୍ୟବ୍ରତ ରାଉତରାୟ ଓ ସୌରଭ ରାଉତଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ଏପରି ସେବା ମନୋବୃତ୍ତିକୁ ଅଗ୍ନିଶମ ଡିଜି ସତ୍ୟଜିତ୍‍ ମହାନ୍ତି ପ୍ରଶଂସା କରିଛନ୍ତି। ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅସିତ୍‍ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Comments are closed.