କରୋନା କଷ୍ଟ, ରାଜ୍ୟର ୬୮୨୯ ପୁଲିସ ସଂକ୍ରମିତ

ଭୁବନେଶ୍ୱର: କରୋନା ମହାମାରୀ କବଳରେ ରାଜ୍ୟର ୬ ହଜାର ୮୨୯ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହେଲେଣି। ସେଥିମଧ୍ୟରୁ କେବଳ କଟକ ଓ ଭୁବନେଶ୍ୱରରେ ୧୫୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ଆକ୍ରାନ୍ତ ହେଲେଣି। ତେବେ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୩୩ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦର୍ଶାଇଛନ୍ତି ଯେ ଅଗଷ୍ଟ ସୁଦ୍ଧା ରାଜ୍ୟରେ କାର୍ୟ୍ୟରତ ପୁଲିସ ଅଫିସର ଓ କର୍ମଚାରୀଙ୍କ ମଧ୍ୟରୁ ୬୮୨୯ଜଣ ସଂକ୍ରମିତ ହେଲେଣି। କେବଳ ଭୁବନେଶ୍ୱର ୟୁପିଡ଼ିରେ ୫୫୦ଜଣ ସଂକ୍ରମିତ ହୋଇଥିିବାବେଳେ କଟକ ୟୁପିଡିରେ ୨୭୭ଜଣ ରହିଛନ୍ତି।

ଏହାବାଦ୍ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚର ୩୪ଜଣ ଷ୍ଟାଫ ରହିଥିବାବେଳେ ସୁରକ୍ଷା ବିଭାଗର ୬୮ଜଣ, ଏସଆଇଡବ୍ଲୁର ୪୭ଜଣ ଏବଂ ଓଏସଏପି ୭ମ ବାଟାଲିଅନର ୧୪୭ଜଣ ରହିଛନ୍ତି। ଏହାସହିତ ଓଆଇଏସଏଫର ୯୭ଜଣ, ଏସଓଜିର ୭୬, ଏଡିଜିପି ରେଳବାଇର ୮ଜଣ, ୟୁପି ଆଣ୍ଡ ଟିଟିଆଇର ୭ଜଣ ଏବଂ ଦ୍ୱୈତନଗରୀ ଏସଏସବିଏନର ୧୩୨ଜଣ ଷ୍ଟାଫ ସଂକ୍ରମିତ ହୋଇଛନ୍ତି।

ସେହିପରି କଟକରେ ଏସଆରପିରେ ୫୫ଜଣ ସଂକ୍ରମିତ ହୋଇଥିବା ବେଳେ ସିଆଇଡ଼ିର ୪୪ଜଣ, ଏଚଆରପିସିର ଜଣେ ଏବଂ ସିଗନାଲ ବିଭାଗର ୩୬ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏହାବାଦ୍ ଓଏସଏପିର ୧୧୭ଜଣ ଏସପି ମୁଖ୍ୟାଳୟର ୭୧ଜଣ, ପିଏମଟିର ୩୦ଜଣ ଷ୍ଟାଫ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟର ସବୁ ଜିଲାରେ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏହାରି ଭିତରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ସେଥି ମଧ୍ୟରେ ୧୦ଜଣ ଏଏସଆଇ ବର୍ଗର ରହିଥିବା ବେଳେ ୨ଜଣ ଇନସପେକ୍ଟର, ଜଣେ ସବଇନସପେକ୍ଟରଙ୍କ ସହିତ ହାବିଳଦାର, ଡ଼ିଏସଆଇ ଓ କନଷ୍ଟେବଲ ରାଙ୍କର ବହୁ କର୍ମଚାରୀ ରହିଛନ୍ତି। ସଂପୃକ୍ତ କୋଭିଡ଼ ଯୋଦ୍ଧାଙ୍କୁ ମୃତ୍ୟୁକାଳୀନ ସହାୟତା ରଶି ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଦର୍ଶାଇଛନ୍ତି।

Comments are closed.