ଓଡ଼ିଶାରେ ପ୍ଲାଜ୍‍ମାଥେରାପି ମାଧ୍ୟମରେ ଆରମ୍ଭ ହେବ କରୋନା ଚିକିତ୍ସା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜ୍‍ମାଥେରାପି ଉପଲବ୍ଧ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ଏହି କ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଥେରାପି ମାଧ୍ୟମରେ କରୋନା ରୋଗୀଙ୍କ ଚିକିତ୍ସା ପଦ୍ଧତି ନିରୂପଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି। ଏହି ଚିକିତ୍ସା ପଦ୍ଧତି ନିରୂପଣ ସହ ସଫଳ ରୂପାୟନ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତି, ଜନସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସମ୍ପର୍କରେ କମିଟି ନିର୍ଦିଷ୍ଟ ତଥ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏହି ଚିକିତ୍ସା ଉପଲବ୍ଧ ନିମନ୍ତେ ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ତଥା କଟକସ୍ଥିତ ଏସ୍‍ସିବି ମେଡ଼ିକାଲ୍‍ କଲେଜ, ଅଶ୍ୱିନୀ ହସ୍ପିପିଟାଲ୍‍ ଓ ଭୁବନେଶ୍ୱରଠାରେ ଥିବା ସମ୍‍ ହସ୍‍ପିଟାଲ୍‍ ଓ କିମ୍ସ ହସ୍‍ପିଟାଲ୍‍ରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ରାଯିବା ସହ ପ୍ଲାଜ୍‍ମା ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।


ଏହି ବୈଠକରେ ବରିଷ୍ଠ ଚିକିତ୍ସା ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର, କିମ୍ସ ମେଡ଼ିକାଲ୍‍ କଲେଜର ନିର୍ଦେଶକ ସୁବ୍ରତ ଆଚାର୍ଯ୍ୟ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫେସର ସିବିକେ ମହାନ୍ତି, ଆର୍‍ଏମ୍‍ଆର୍‍ସି ନିର୍ଦେଶିକା ସଂଘମିତ୍ରା ପତି ଛାତି ରୋଗ ବିଶେଷଜ୍ଞ ପ୍ରଫେସର ଏମ୍‍.ଆର୍‍.ପଟ୍ଟନାୟକ, ଭେଷଜ ବିଶେଷଜ୍ଞ ପ୍ରଫେସର ଜୟନ୍ତ ପଣ୍ଡା ପ୍ରମୁଖ ପ୍ଲାଜମାଥେରାପି ସମ୍ପର୍କରେ ତାଙ୍କର ମତାମତ ଉପସ୍ଥାପନ କରିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ନିର୍ଦେଶକ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଇତି ମଧ୍ୟରେ ରାଜ୍ୟ ସରକାର ନିକଟରେ ରେମଡିସାଭିୟର ଓ ଫାଭିଫ୍ଲୁ ଔଷଧର ପ୍ରୟୋଗ ଗୁରୁତର ଓ ଅତି ଗୁରୁତର ରୋଗୀଙ୍କ ନିମନ୍ତେ ଆରମ୍ଭ କରିଥିବା ନିଷ୍ପତ୍ତି ନେଇଛନ୍ତି।

Comments are closed.