ସରିଲା ନାମାଙ୍କନ, ନିର୍ବାଚନ ମଇଦାନରେ ୨ଲକ୍ଷ ୨୯ହଜାର ୬୨ ଆଶାୟୀ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ ପ୍ରକ୍ରିୟା ଗଣିତ ଶୁକ୍ରବାର ଶେଷ ହୋଇଛି। ଆଜି ମନୋନୟନ ପତ୍ର ଯାଞ୍ଚ ଏବଂ ୨୫ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିବ। ଏହାରି ଭିତରେ ଦଳୀୟ ପ୍ରତିନିଧି ଓ ଆଶାୟୀଙ୍କ ଭିତରେ କିଣାବିକା ଚାଲିବ। ଏହାବାଦ୍ କେତେକ ଆଶାୟୀ ନିର୍ବାଚନ ଆଚରଣ ବିଧି ଅନୁଯାୟୀ ନାମାଙ୍କନ ଫର୍ମ ପୂରଣ କରି ନଥିବାରୁ ନାକଚ ହେବାର ସମ୍ଭାବନା ରହିଛି। ୨ଲକ୍ଷ ୨୯ହଜାର ୬୨ ଆଶାୟୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

୧ଲକ୍ଷ ୬୨ହଜାର ୨୯୭ ୱାର୍ଡ ସଭ୍ୟ ରହିଥିବାବେଳେ ୩୪ହଜାର ୬୧୩ ସରପଞ୍ଚ, ୨୮ହଜାର ୧୫୩ ସମିତି ସଭ୍ୟ ଏବଂ ୩୯୯୯ ଜିଲା ପରିଷଦ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ଥିଲା ନାମାଙ୍କନପତ୍ର ଦାଖଲର ଶେ‌ଷଦିନ। ଆଜି ୬୫ହଜାର ୮୨୮ ୱାର୍ଡସଭ୍ୟ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୪ହଜାର ୭୪ ସରପଞ୍ଚ, ୧୨ହଜାର ୫୧୨ ସମିତି ସଭ୍ୟ ଏବଂ ୨୧୯୧ ଜିଲାପରିଷଦ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଗତ ଚାରିଦିନ ମଧ୍ୟରେ ରାଜ୍ୟରେ ସମୁଦାୟ ୧ଲକ୍ଷ ୩୩ହଜାର ୫୮୪ ଆଶାୟୀ ନାମାଙ୍କନପତ୍ର ଭରିଥିବା ବେଳେ ଆଜି ପ୍ରାୟ ୧ଲକ୍ଷ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ୬ ହଜାର ୭୯୪ ସରପଞ୍ଚ ଆସନ ପାଇଁ ପ୍ରାୟ ୬ଗୁଣ ଆଶାୟୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୱାର୍ଡସଭ୍ୟଙ୍କ କ୍ଷେତ୍ରରେ ବେଶି କିଛି ପ୍ରତିଦ୍ବନ୍ଦ୍ବିତା ନଥିବା ପରିଲକ୍ଷିତ ହେଉଛି। ରାଜ୍ୟରେ ୯୧ହଜାର ୯୧୩ ୱାର୍ଡ଼ ପାଇଁ ୧ଲକ୍ଷ ୬୨ହଜାର ୨୯୭ ୱାର୍ଡସଭ୍ୟ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ୬ହଜାର ୭୯୩ ସମିତି ସଭ୍ୟ ପାଇଁ ୨୮ହଜାର ୧୫୩ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୮୫୩ ଜିଲା ପରିଷଦ ଆସନ ପାଇଁ ୩ହଜାର ୯୯୯ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୋଟିଏ ପଟେ ୱାର୍ଡସଭ୍ୟ ଲାଗି ହିସାବ ଅନୁଯାୟୀ ୨ଜଣ ପଡ଼ୁ ନଥିବାବେଳେ ସରପଞ୍ଚ ପଦ ପାଇଁ ସର୍ବାଧିକ ୬ଜଣ ଆଶାୟୀ ଅବତୀର୍ଣ୍ଣ ହୋଇଛନ୍ତି। ଆସନ୍ତା ୨୫ ତାରିଖରେ ନାମାଙ୍କନପତ୍ର ନାକଚ ଓ ପ୍ରତ୍ୟାହାର ପରେ ନିର୍ବାଚନ ମଇଦାନରେ କିଏ ରହିଲେ ଏବଂ ବିଦା ହେଲେ ତାହା ସ୍ପଷ୍ଟ ହୋଇଯିବ। ଏହାପରେ ମୁହାଁମୁହିଁ ଯୁଦ୍ଧ ହେବ ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି।

Comments are closed.