ଓଡ଼ିଶାରେ ଅନ୍ୟ ରାଜ୍ୟର ୮୯୧୧ ଶ୍ରମିକ

ଯାଜପୁରରେ ସର୍ବାଧିକ ଫସିଛନ୍ତି , ୨୭୯୪ ଓଡ଼ିଆ ଶ୍ରମିକ ଫେରିଛନ୍ତି

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ଏବେ ଲକ୍ଡାଉନ ପାଇଁ ଓଡ଼ିଶାରେ ଅଟକି ରହିଥିବାବେଳେ ୨୭୯୪ ଓଡ଼ିଆ ଶ୍ରମିକ ଇତିମଧ୍ୟରେ ଓଡ଼ିଶାରେ ପହଞ୍ଚିଛନ୍ତି। ତେବେ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡର ପ୍ରାୟ ୩ହଜାରରୁ ଅଧିକ ଶ୍ରମିକ ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥାରେ ଅଟକି ରହିଛନ୍ତି ବୋଲି ଶ୍ରମ ବିଭାଗ ପକ୍ଷରୁ ଜଣାଯାଇଛି। ଶ୍ରମ ବିଭାଗର ସୂଚନା ଅନୁଯାୟୀ ଯାଜପୁରରେ ସର୍ବାଧିକ ୨୯୧୮ଜଣ ଶ୍ରମିକ ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରିବାକୁ ଆସି ଫସି ରହିଛନ୍ତି। ସେଥିମଧ୍ୟ​‌​‌ରେ ପଶ୍ଚିମବଙ୍ଗ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଞ୍ଜାବ ଓ ଦିଲ୍ଲୀ, ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟର ଶ୍ରମିକ ରହିଛନ୍ତି। ସେହିପରି ଭଦ୍ରକର ଧାମରା ବନ୍ଦରରେ କାର୍ଯ୍ୟକରୁଥିବା ୧୫୦୦ ଶ୍ରମିକଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଓ ବିହାରର ଅଧିକ ଶ୍ରମିକ ରହିଥିବାବେଳେ ଖୋର୍ଦ୍ଧାରେ ୧୨୫୩ଜଣ ଏହିସବୁ ରାଜ୍ୟ ସହିତ କେରଳ, ହରିୟାଣା ଓ ରାଜସ୍ଥାନର ଶ୍ରମିକ ରହିଛନ୍ତି।

ନବରଙ୍ଗପୁରରେ କେବଳ ମଧ୍ୟପ୍ରଦେଶର ୫୬ଜଣ ଶ୍ରମିକ ଅସହାୟ ଅବସ୍ଥାରେ ରହିଥିବା ଜିଲାପ୍ରଶାସନ ପକ୍ଷରୁ ଜଣାଯାଇଛି। ଢ଼େଙ୍କାନାଳ, ଯାଜପୁରସ୍ଥିତ ଟାଟାଷ୍ଟିଲରେ ୩ହଜାରରୁ ଅଧିକ ଶ୍ରମିକ ଏବେ ଲକ୍ ଡାଉନ ଯୋଗୁଁ ଅଟକି ରହିଛନ୍ତି। ଏହାବାଦ୍ ଗଞ୍ଜାମର କଲିକତା ସ୍ପ୍ରିଂ, ଆଫକନ ଓ ଏଲଆଣ୍ଡଟିରେ ୨୦୦ ଶ୍ରମିକ ଅଟକି ରହିଥିବାବେଳେ କୋରାପୁଟର ଓପିଟିସିଏଲରେ ପଶ୍ଚିମବଙ୍ଗର ୧୫ଜଣ କନ୍ଧମାଳରେ ସିଦ୍ଧାର୍ଥ ଇଞ୍ଜିନିୟରିଂରେ ୧୦ଜଣ, ରାୟଗଡାର ଉତ୍କଳ ଆଲୁମିନାରେ ଝାରଖଣ୍ଡର ୩୦ଜଣ, ମାଲକାନାଗିରିି ଏସାର ଷ୍ଟିଲ ଓ ବିମଳେଇ ଇଲେକ୍ଟ୍ରିକାଲ୍ସରେ ୧୦୦ ଶ୍ରମିକ ଅଟକି ରହିଛନ୍ତି। ଏହାବାଦ୍ ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡା ପ୍ରଭୃତି ଜିଲାରେ ଶତାଧିକ ଶ୍ରମିକ ଲକ୍ ଡାଉନ ଯୋଗୁଁ ନିଜ ରାଜ୍ୟକୁ ଫେରି ପାରୁ ନଥିବା ଜଣାଯାଇଛି।

Comments are closed.