MEllora 950×100

ଧାମରାରେ ୫-ଟି ଠପ, ଅର୍ଥାଭାବରୁ କାର୍ଯ୍ୟ ବନ୍ଦ

ଧାମରା: ଅଧାଗଢା ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ ଅଥବା ଅଧା ପଢି ବିଦ୍ୟାଳୟ ଛାଡିବେ ତାହା ପ୍ରଶ୍ନବାଚୀ ହୋଇପଡ଼ିଛି। ଏ ବାବଦରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଅମୀୟ ପଲେଇଙ୍କୁ ଏହି କାର୍ଯ୍ୟ ବନ୍ଦ ଅଛିକି ଚାଲିଛି ତାହା ଜଣା ନଥିବା ବେଳେ ସଂପୃକ୍ତ ବ୍ଲକର ବିଡିଓ ଜ୍ୟୋତି ବିକାଶ ଦାସ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ମତ ପୋଷଣ କରିଛନ୍ତି। କେଉଁ ପରିସ୍ଥିତିରେ ଏପରି ହେଲା ତାର ଉତ୍ତର ରଖିବାକୁ କୌଣସି ଅଧିକାରୀ ରାଜି ନୁହନ୍ତି ଅନ୍ୟ ପକ୍ଷରେ ଏହି ଅଧା ଗଢା ବିଦ୍ୟାଳୟକୁ ପୂର୍ଣାଙ୍ଗ କରିବାକୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ ପଳିତା ବହୁବାର ଅନୁନୟ ବିନୟ ହେବା ସହ ଲିଖିତ ଭାବେ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ।

ପ୍ରାପ୍ତ ଖବର ଅନୁଯାୟୀ ଧାମରା ନିକଟସ୍ଥ ଜାଗୁଳା ଜିପି ହାଇସ୍କୁଲ ଟି ଚାନ୍ଦବାଲି ବ୍ଲକରେ ଦ୍ୱିତୀୟ ପଯ୍ୟାୟରେ ୫-ଟିରେ ଅର୍ନ୍ତଭୁକ୍ତ ହୋଇଥିଲା। ଗତବର୍ଷ ଏହି ବିଦ୍ୟାଳୟର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ବିଦ୍ୟାଳୟ ପାଇଁ ସରକାର ୪୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବା ବେଳେ ଧାମରା ବନ୍ଦର କର୍ତୃପକ୍ଷ ୨.୫ ଲକ୍ଷ, ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ୫ ଲକ୍ଷ, ପଂଚାୟତ ଉନ୍ନୟନ ପାଣ୍ଠିରୁ ୬ ଲକ୍ଷ ଟଙ୍କା ଆସିଥିଲା। ଧାମରା ବନ୍ଦର ଦେଇଥିବା ୨.୫ ଲକ୍ଷ ଟଙ୍କାକୁ ସଂପୃକ୍ତ ପ୍ରଧାନଶିକ୍ଷକ ମୋ ସ୍କୁଲ ଅଭିଯାନରେ ଜମା କରି ଦେଇଥିବା ବେଳେ ଏହି ଟଙ୍କା ବର୍ତମାନ ୭.୫ ଲକ୍ଷ ଟଙ୍କା ହୋଇ ସାରିଛି, ଜାଗୁଳା ପଂଚାୟତ ନିଜସ୍ୱ ପାଣ୍ଠିରୁ ୧୫ ଲକ୍ଷ ଦେବ ବୋଲି ଘୋଷଣା କରିଥିବା ବେଳେ ସଂପୃକ୍ତ ସରପଂଚ ବର୍ତମାନ ସୁଦ୍ଧା ୬ଲକ୍ଷ ଟଙ୍କା ଏହି ବିଦ୍ୟାଳୟ ପାଇଁ ଦେଇଛନ୍ତି। ଏହିପରି ସମୁଦାୟ ୬୩.୫ ଲକ୍ଷ ଟଙ୍କାରେ ଏହି ବିଦ୍ୟାଳୟ ୫-ଟିରେ ସଂପୂର୍ଣ ହେବ ବୋଲି ଜଣାଯାଇଛି। ମାତ୍ର ଦୀର୍ଘ ଦିନ ହେବ ଏହି କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି। ସଂପୃକ୍ତ ଠିକାଦାର ନିଜର ଦୂର ଦୃଷ୍ଟି ଅଭାବରୁ କାର୍ଯ୍ୟ ଆରମ୍ଭରୁ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହକୁ ଏକ ସଙ୍ଗରେ ଭାଙ୍ଗି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଶ୍ରେଣୀ ଗୃହ ସଂପୂର୍ଣ ହୋଇ ପାରି ନାହିଁ। ଫଳରେ ଅଧାଗଢା ଶ୍ରେଣୀ ଗୃହରେ ୨୩୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଶୌଚାଳୟ ଗୃହକୁ ମଧ୍ୟ ଠିକାଦାର ଭାଙ୍ଗି ଦେଇଛନ୍ତି, ଫଳରେ ଏହି ବିଦ୍ୟାଳୟରେ ଅଧ୍ୟୟନରତ ୧୨୦ ଛାତ୍ରୀ ଖୋଲା ସ୍ଥାନକୁ ନିଜର ଶୌଚାଳୟ ରୂପେ ବ୍ୟବହାର କରୁଥିବା ବେଳେ ୧୧୫ ଛାତ୍ର ମଧ୍ୟ ଅନୂରୂପ ଅବସ୍ଥା ଭୋଗ କରୁଛନ୍ତି। ଜାଗୁଳା ଗ୍ରାମ ପଂଚାୟତ (ଜିପି) ହାଇସ୍କୁଲରେ ୨୩୫ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଏପରି ହୋଇଛି ଯେ ବର୍ତମାନ ପରିସ୍ଥିତିରେ ଶୌଚାଳୟ ନଥିବାରୁ ଅଧା ଶିକ୍ଷା ବର୍ଷରେ ଛାତ୍ରୀ ମାନେ ତ୍ରିଶଙ୍କୁ ଅବସ୍ଥା ଅତିବାହିତ କରୁଛନ୍ତି। ଶୌଚାଳୟ ଅଭାବରୁ ବର୍ତମାନ ଅଧ୍ୟୟନ ରତ ଛାତ୍ରୀ କେଉଁ ଶିକ୍ଷାନୁଷ୍ଠାନକୁ ଯିବେ ତାହା ପ୍ରଶ୍ନବାଚୀ ହୋଇ ପଡ଼ିଛି।

Comments are closed.