ଆୟକର ବିଭାଗର ଚଢ଼ଉ ଦ୍ୱିତୀୟ ଦିନରେ ମଧ୍ୟ ଜାରି

ସମ୍ବଲପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଠାରୁ ବିଭିନ୍ନ କ୍ରସର ଓ ଖାଦାନ ମାଲିକଙ୍କ ମାନଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଏହି କ୍ରମରେ ପଶ୍ଚିମବଙ୍ଗର କୋଲକତାରୁ ଆୟକର ବିଭାଗର ୧୦ରୁ ଉର୍ଦ୍ଧ ସଦସ୍ୟର ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ଅର୍ନ୍ତଗତ ଗୁମଲୋଇର କ୍ରିଷ୍ଣା ଷ୍ଟୋନ କ୍ରସର ଓ ଏହାର ମାଲିକ ସୁନୀଲ ଅଗ୍ରୱାଲ ଙ୍କ କ୍ଷେତରାଜପୁର ସ୍ଥିତ ଆବାସରେ ଚଢ଼ଉ କରୁଛନ୍ତି। ମଙ୍ଗଳବାର ରାତ୍ରି ପର୍ଯ୍ୟନ୍ତ କ୍ଷେତରାଜପୁର ପୋଦ୍ଦାର କଲୋନୀ ସ୍ଥିତ ଘରେ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଆୟକରର ଚଢ଼ଉ ଅଭିଯାନ ଜାରି ରହିଛି। ଏହି ଚଢ଼ଉ ସମୟରେ ପଥର ଖାଦାନର ଅନୁମତି ପତ୍ର, କେତେ ଅଞ୍ଚଳରେ ଖାଦାନ ଚାଲିଛି, ଆୟକର ସଠିକ ଭାବରେ ପ୍ରଦାନ ହେଉଛି କି ନାହିଁ ଆଦି ବିଭିନ୍ନ ବିଷୟରେ ଯାଞ୍ଚ କରାଯାଉଛି। ଅପରପକ୍ଷରେ ମିଳିଥିବା ସୂଚନାନୁଯାୟୀ, ଗୁମଲେଇ ଅଞ୍ଚଳରେ ସରକାରଙ୍କ ତରଫରୁ ପଥର ଖୋଳିବା ପାଇଁ ମିଳିଥିବା ଅନୁମତି ଅଞ୍ଚଳରୁ ପ୍ରାୟ ୨୦ ପ୍ରତିଶତ ଅଧିକ ଅଞ୍ଚଳରେ ପଥର ଖାଦାନ ବେଆଇନ ଭାବରେ ଖୋଳା ଯାଉଥିବାର ଆୟକର ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏଣୁ ଆଗାମୀ ଦିନରେ ଉକ୍ତ ଖାଦାନ କୁ ବନ୍ଦ କିମ୍ବା ମୋଟା ଜରିମାନା ହେବ ବୋଲି ଜଣାପଡ଼ିଛି। ଏଥି ସହ ଏହି ପ୍ରତିଷ୍ଠାନକୁ ପୂର୍ବରୁ ମଧ୍ୟ ବେଆଇନ କାର୍ଯ୍ୟ ପାଇଁ ଜରିମାନା କରାଯାଇଥିବାର ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ଖବରଲେଖା ଯିବା ପର୍ଯ୍ୟନ୍ତ ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଚଢ଼ଉ ଜାରି ରଖିଥିବାର ଜଣାପଡ଼ିଛି।

Comments are closed.