ସନ୍ତାନପ୍ରାପ୍ତି ଆଶା ଦେଇ ଦମ୍ପତିଙ୍କଠୁ ୩ଲକ୍ଷ ଠକିଲେ ଭଣ୍ଡବାବା

ଥାନାରେ ମାମଲା, ଭଣ୍ଡବାବା ସିଦ୍ଧେଶ୍ବର ସାମନ୍ତରାୟକୁ ଧର୍ମଶାଳାରୁ ଗିରଫ କଲା ବାଦାମବାଡ଼ି ପୁଲିସ

ଭୁବନେଶ୍ବର: କଟକ ବାଦାମବାଡ଼ି ଥାନା ପୁଲିସ ଦ୍ବାରା ଜଣେ ଭଣ୍ଡବାବା ଗିରଫ ହୋଇଛି। ବାଦାମବାଡ଼ି ଥାନା ପୁଲିସ ଦ୍ବାରା ଭଣ୍ଡବାବା ଯାଜପୁର ଧର୍ମଶାଳାର ସିିଦ୍ଧେଶ୍ବର ସାମନ୍ତରାୟକୁ ଗିରଫ କରାଯାଇଛି। ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନପ୍ରାପ୍ତି କରାଇଦେବାକୁ କହି ଠକିଥିଲେ। ଝାଞ୍ଜିରିମଙ୍ଗଳା ଅଞ୍ଚଳର ଦମ୍ପତ୍ତିଙ୍କଠାରୁ ୩ଲକ୍ଷ ଟଙ୍କା ଠକିଥିଲେ। ଠକେଇ ନେଇ ସିଦ୍ଧେଶ୍ବରଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ତଦନ୍ତ ସମୟରେ ପୁଲିସ ଜାଣି ପାରିଛି।

ମିଳିଥିବା ସୂଚନା ଅନୁଯାୟୀ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ସ୍ୱପ୍ନ ଦେଖାଇବାରୁ ଭଣ୍ଡବାବା ସିଦ୍ଧେଶ୍ବରଙ୍କ କଥାରେ ପ୍ରଲୋଭିତ ହୋଇ ପୂଜାର୍ଚ୍ଚନା କରିଥିଲେ। ଏଥିପାଇଁ ସିଦ୍ଧେଶ୍ବର ସେମାନଙ୍କଠାରୁ ବିଭିନ୍ନ କିସ୍ତିରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ହେଲେ ଦମ୍ପତିଙ୍କର କୌଣସି ସନ୍ତାନ ଲାଭ ହେଲା ନାହିଁ। କାହିଁକି ସନ୍ତାନ ଜନ୍ମ ହେଉନାହିଁ ବୋଲି କାରଣ ଜାଣିବାକୁ ଚାହିଁବାରୁ ଏଥିରେ ବାବା ସିଦ୍ଧେଶ୍ବର ରାଗିଯାଇ ମନ୍ତ୍ରତନ୍ତ୍ର କରି ଅନିଷ୍ଟ କରିଦେବାକୁ ଧମକ ଦେଇଥିଲେ। ଶେଷରେ ନିରୂପାୟ ଏହି ଦମ୍ପତି ବାଦାମବାଡ଼ି ଥାନାର ଦ୍ୱାରସ୍ଥ ହୋଇଥିଲେ।

କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଏକ ଦମ୍ପତିଙ୍କର କୌଣସି ସନ୍ତାନ ନାହାନ୍ତି। ସେଥିପାଇଁ ସ୍ୱାମୀ ଓ ସ୍ତ୍ରୀ ସର୍ବଦା ଚିନ୍ତିତ ରହୁଥିବାବେଳେ ସେମାନେ ବାବା ସିଦ୍ଧେଶ୍ୱର ସାମନ୍ତରାୟଙ୍କ ସଂସ୍ପର୍ଶରେ ଆସିଥିଲେ। ପୂଜାର୍ଚ୍ଚନା ଓ ମନ୍ତ୍ରତନ୍ତ୍ର କଲେ ସନ୍ତାନ ଜନ୍ମ ହେବ ବୋଲି ସିଦ୍ଧେଶ୍ୱର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସିଦ୍ଧେଶ୍ବରଙ୍କ କଥାକୁ ବିଶ୍ୱାସ କରି ସେମାନେ ପୂଜାର୍ଚ୍ଚନା କରି ସନ୍ତାନ ଲାଭ କରିବାକୁ ଆଶା ବଳାଇଥିଲେ।

ଏହାପରେ ସେମାନଙ୍କ ଘରେ ପୂଜାର୍ଚ୍ଚନା ଆୟୋଜନ ହୋଇଥିଲା। ସିଦ୍ଧେଶ୍ବର ୭ ଥର ପୂଜାର୍ଚ୍ଚନା କଲେ। ଏଥିସହ କିଛି ଜଡ଼ିବୁଟି ମଧ୍ୟ ଖାଇବାକୁ ଦେଇଥିଲେ। ପୂଜା ବାବଦକୁ ବିଭିନ୍ନ କିସ୍ତିରେ ଭଣ୍ଡବାବା ୩ ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ। ହେଲେ ଏହି ଦମ୍ପତିଙ୍କର ସନ୍ତାନ ହେଲା ନାହିଁ। ଏହା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ବାବାଙ୍କ ପାଖରୁ ଦୂରେଇଯିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସିଦ୍ଧେଶ୍ବର ଥିଲେ ନଛୋଡ଼ବନ୍ଧା। ବଡ଼ ଆକାରରେ ପୂଜାର୍ଚ୍ଚନା କରିବାକୁ ଟଙ୍କା ମାଗି ଚାଲିଥିଲେ। ସିଦ୍ଧେଶ୍ୱର ସାମନ୍ତରାୟଙ୍କ ଚାଲ ବୁଝିପାରି ଟଙ୍କା ଦେବା ବନ୍ଦ କରିଦେଲେ ଏହି ଦମ୍ପତି। ଏହାପରେ ସିଦ୍ଧେଶ୍ବର ରାଗିଗଲେ। ମନ୍ତ୍ରତନ୍ତ୍ର ବଳରେ ଅନିଷ୍ଟ କରିବେ ଓ ସେମାନଙ୍କ ବହୁ କ୍ଷତି ହେବ ବୋଲି ଧମକ ଦେଲେ। କହିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀ ଭୟଭୀତ ହୋଇ ଯାଇଥିଲେ ଓ ସିଦେଶ୍ବରଙ୍କ କବଳରୁ ମୁକ୍ତି ପାଇଁ ବାଟ ଖୋଜିଥିଲେ।

ରବିବାର ସ୍ୱାମୀ ଓ ସ୍ତ୍ରୀ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ ଗଠନ କରିଥିଲା। ତଦନ୍ତ ବେଳେ ଟଙ୍କା ଠକେଇ ହୋଇଥିବା ଜାଣିବାକୁ ପାଇଥିଲା ପୁଲିସ୍‌। ଏହା ପରେ ପୁଲିସ୍‌ ଯାଜପୁର ଧର୍ମଶାଳା ଅଞ୍ଚଳରୁ ଭଣ୍ଡବାବା ସିଦ୍ଧେଶ୍ୱର ସାମନ୍ତରାୟଙ୍କୁ ଗିରଫ କରିଛି।

କଟକ ଜୋନ୍‌-୬ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି ଯେ ସନ୍ତାନ ଲାଭ ଆଶା ଦେଖାଇ ସିଦ୍ଧେଶ୍ୱର ସାମନ୍ତରାୟ ବହୁ ଲୋକଙ୍କୁ ଠକିଛନ୍ତି। ତାଙ୍କ ନାଁରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ମାମଲା ରହିଛି। ପୂଜାର୍ଚ୍ଚନା ଦ୍ବାରା ସନ୍ତାନପ୍ରାପ୍ତି ହେବ କହି ସେଠାରେ ସେ ଜଣେ ଲୋକଙ୍କୁ ଠକିଥିଲା। ଅନ୍ୟ କେଉଁଠି ମାମଲା ରହିଛି, ତାହା ଉପରେ ତଦନ୍ତ ଚାଲିଛି। ତେବେ ଅଭିଯୋଗ କରିଥିବା ଦମ୍ପତିଙ୍କଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ସିଦ୍ଧେଶ୍ବର ଠକି ନେଇଥିବା ତଦନ୍ତ ସମୟରେ ଜଣାପଡ଼ିଛି।

Comments are closed.