ବର୍ଷାନ୍ତରେ ୨ଲକ୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ

ସମାଜ: ଇଂରାଜୀ ନୂଆବର୍ଷର ପ୍ରଥମ ସୂ‌େ‌ର୍ଯ୍ୟାଦୟ ଦେଖିବା ସହ ଦାରୁବ୍ରହ୍ମଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ପୁରୀରେ ନୂଆବର୍ଷ ପାଳନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ବର୍ଷର ଶେଷଦିନ ପ୍ରାୟ ୨ଲକ୍ଷ ଶ୍ରଦ୍ଧାଳୁ ରବିବାର ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ପୁରୀକୁ ଲୋକଙ୍କ ସୁଅ ଛୁଟିଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡ ଏବଂ ସମୁଦ୍ର ବେଳାଭୂମି ଲୋକାରଣ୍ୟ ହୋଇଛି। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତି ୧ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ମାର୍କେଟ୍‌ ଛକରୁ ବ୍ୟାରିକେଡ୍‌ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।

‘ଜୟ ଜଗନ୍ନାଥ’, ‘ହରିବୋଲ୍‌’ ଓ ‘ହୁଳହୁଳି’ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର। ନାଟମଣ୍ଡପ ବାହାର କାଠ ପାଖରେ ଛିଡ଼ା ହୋଇ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରେ ପ୍ରବେଶ କରୁଥିବାବେଳେ ଦର୍ଶନ ପରେ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ଭକ୍ତଙ୍କ ସୁରକ୍ଷା ଏବଂ ଗହଳି ନିୟନ୍ତ୍ରଣ ପାଇଁ ୮୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ଏବଂ ପ୍ରାୟ ୨୫୦ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ରବିବାର ରାତି ୧୨ଟାରୁ ପୁରୀ ସହରରେ ଗାଡ଼ି ଚଳାଚଳ କଟକଣା ଲାଗୁ କରାଯାଇଛି। ଇଂରାଜୀ ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ମନ୍ଦିର ପ୍ରଶାସନ ଉଦ୍ୟମ ଚଳାଇଛି। ମାର୍କେଟ୍‌ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଗାଡ଼ି ଚଳାଚଳ ନିଷେଧ କରାଯାଇଛି। ସମୁଦ୍ରରେ ପୁଲିସ ପକ୍ଷରୁ ପଇଁତରା ଜାରି ରହିଛି। ଶ୍ରୀମନ୍ଦିର ଭିତରେ ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ଶତାଧିକ ସାଧା ପୋଷାକଧାରୀ ପୁଲିସ କର୍ମଚାରୀ ଏବଂ କୁଇକ୍‌ ରେସ୍‌ପନ୍ସ ଟିମ୍‌ ନିୟୋଜିତ କରାଯାଇଛି।

ସିଂହଦ୍ୱାର ସମ୍ମୁଖରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବା ସହ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ପ୍ରସ୍ତୁତ କରି ରଖାଯାଇଛି। ଆମ୍ବୁଲାନ୍ସ ଯାତାୟାତ ପାଇଁ ବଡ଼ଦାଣ୍ଡରେ ଗ୍ରିନ କରିଡର କରାଯାଇଛି। ପୁରୀ ବୁଲିବାକୁ ଆସିଥିବା ଶହଶହ ଲୋକ ସମୁଦ୍ରରେ ଗାଧୋଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ତାଲିମ୍‌ପ୍ରାପ୍ତ ଲାଇଫ୍‌ ଗାର୍ଡଙ୍କୁ ମୁତୟନ କରାଯାଇଛି। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶିଷ କୁମାର ସିଂହ ଏବଂ ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଳ ସିଂହ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ବ୍ୟାରିକେଡ୍‌ ଦେଇ ଲୋକେ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ମନ୍ଦିର ଭିତର ସ୍ଥିତିକୁ ଦୃଷ୍ଟିରେ ରଖି ଥାକ ଥାକ କରି ଛଡ଼ାଯାଉଛି। ରତ୍ନ ସିଂହାସନରେ ବସି ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀ ସୁଦର୍ଶନ ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୋମବାର ନୂଆବର୍ଷରେ ଦିନ ୧୨ଟା ସୁଦ୍ଧା ଯେପରି ପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ଶେଷ ହେବ ଏବଂ ଦର୍ଶନାର୍ଥୀ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ଆନନ୍ଦରେ ଫେରିବେ ସେଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଭକ୍ତଙ୍କ ପାଇଁ ଶାଳିନତାପୂର୍ଣ୍ଣ ପୋଷାକ କଟକଣା ରାତି ୧ଟାରୁ ଲାଗୁ କରାଯାଇଛି। ଏହାଛଡ଼ା ପାନ, ଗୁଟ୍‌ଖା ଖାଇ ଏବଂ ପଲିଥିନ ନେଇ ଯାଉଥିବା ଲୋକଙ୍କୁ ଯାଞ୍ଚ କରାଯାଉଛି। ପୁରୀ ସହରର କୌଣସି ହୋଟେଲ, ଲଜିଂ, ଭକ୍ତ ନିବାସ, ଧର୍ମଶାଳା, ହଲିଡେ ହୋମ୍‌ କିମ୍ବା ଯାତ୍ରୀ ନିବାସରେ ଆଉ କୋଠରି ମିଳୁନାହିଁ। ହଜାର ହଜାର ପର୍ଯ୍ୟଟକ ସ୍ୱର୍ଣ୍ଣାଭ ବେଳାଭୂମିରେ ବସି ସୂର୍ଯ୍ୟାସ୍ତ ଦେଖିବା ସହ ସମୁଦ୍ର ଓ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି। ନୂଆବର୍ଷ ପାଇଁ ଅଧିକାଂଶ ସରକାରୀ ଓ ବେସରକାରୀ କୋଠା ଉଜ୍ବଳ ଆଲୋକମାଳାରେ ଝଲସି ଉଠୁଛି।

Comments are closed.