କୃଷିମନ୍ତ୍ରୀଙ୍କ ପୁଅ ଆଦିତ୍ୟ ପ୍ରତାପଙ୍କ ଗାଡିକୁ ଢେଲାମାଡ, ଚାଳକ ଆହତ

ଆଠଗଡ: ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତ୍ର ତଥା ବିଜେଡି ଯୁବନେତା ଆଦିତ୍ୟ ପ୍ରତାପଙ୍କ ଗାଡି ଉପରକୁ ଢେଲା ମାଡ ହୋଇଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟା ସମୟରେ ସେ ସଠିଲୋ ଠାରୁ ସମସରପୁର ବାଟ ଦେଇ ନିଜ ଗାଡିରେ ଫେରୁଥିଲେ। ଫେରିବା ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ ଥାନା ଅନ୍ତର୍ଗତ ରାଧାପତିପୁର ନିକଟସ୍ଥ ପାରିଜାତ ହୋଟେଲ ଓ ତନ୍ଦନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ କେହି ତାଙ୍କର ଗାଡି ଉପରକୁ ଢେଲାମାଡ କରିଛି। ଢେଲା ମାଡରେ ଆଦିତ୍ୟ ପ୍ରତାପ ବସିଥିବା କାରର ଆଗ କାଚ ଭାଙ୍ଗିବା ସହ ଭଙ୍ଗା କାଚ ଓ ଢେଲା ବାଜି ଗାଡିର ଚାଳକ ଆହତ ହୋଇଥିବା ଜଣାପଡିଛି। ଆଦିତ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ବିଜେଡ଼ିର ଯୁବ ସଂଗଠକ ଭାବରେ ଆଠଗଡ ନିର୍ବାଚନ ମଣ୍ଡଳୀରେ ବିଶେଷ ଭାବରେ ପରିଚିତ। ଆଠଗଡ ଥାନା ଆଇ ଆଇ ସି ଅନିରୁଦ୍ଧ ମୁଦୁଲିଙ୍କୁ ଯୋଗାଯୋଗ କରିବାରେ ଆଦିତ୍ୟଙ୍କ ଗାଡିକୁ କେହି ଢେଲାମାଡ କରିଥିବା ତଥା ଡ୍ରାଇଭର ଆହତ ହୋଇ ମେଡ଼ିକାଲ ଯାଇଥିବା ପ୍ରକାଶ କରିଥିଲେ। ଘଟଣାର ତଦନ୍ତ ଚାଲିଥିବା ଏବଂ ଘଟଣାସ୍ଥଳରେ ଥିବା ସି ସି ଟିଭି ଯାଞ୍ଚ କରାଯାଉଛି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

Comments are closed.