ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଗିରଫ ନକଲେ ଥାନା ଘେରାଉ ଚେତାବନୀ

 ପୀଡିତାଙ୍କ ଗାଁରେ ପୁଣି ଆଦିବାସୀ ସଂଘର ବୈଠକ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ରାସ୍ତାରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଲାଞ୍ଜିଗଡ ବ୍ଳକ ଆଦିବାସୀ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବ୍ଳକ ସଂଘ ସଭାପତି ସୁକୃ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡିତାଙ୍କ ଗାଁକୁ ଯାଇ ଦ୍ୱିତୀୟ ଥର ଏକ ବୈଠକ କରିଛନ୍ତି । ଏହି ସମସ୍ତ ଘଟଣା ନେଇ ଆଲୋଚନା କରିଛନ୍ତି। ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗତ ୧୯ ତାରିଖ ଦିନ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ଫେରାର ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା। ଏନେଇ ଗତ ୨୪ ତାରିଖରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀଙ୍କ ନେତୃତ୍ୱରେ ପୀଡିତାଙ୍କ ଗ୍ରାମରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ସଂଘ, ଭବାନୀପାଟଣାଠାରେ ଅତିରିକ୍ତ ପୁଲିସ ଅଧିକ୍ଷକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ପୁଲିସ ପକ୍ଷରୁ ୫ ଜଣ ଅଭିଯୁକ୍ତ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ଜଣେ ନାବାଳକ ଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଆଜି ପର୍ଯ୍ୟନ୍ତ ଗିରଫ କରିନଥିବା ଯୋଗୁଁ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଅତିଶୀଘ୍ର ମୂଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ଆଗାମୀ ମେ ୧୦ ତାରିଖରେ ବିଜେପୁର ଥାନା ଘେରାଉ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବୈଠକରେ ବ୍ଳକ ଆଦିବାସୀ ସଂଘ ସଭାପତି ସୁକୃ ମାଝୀ, ବେନଗାଁ ସରପଞ୍ଚ ପୁରାନା ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଘାସିରାମ ମାଝୀ, ପ୍ରଦୀପ ମାଝୀ, ଉଦ୍ଧବ ମାଝୀ, ଫୁଲମେ ମାଝୀ, ମୁଲୁ ମାଝୀ, ରାଜେନ୍ଦ୍ର ମାଝୀ ସମେତ ୭ ଗୋଟି ପଞ୍ଚାୟତର ବିଭିନ୍ନ ପଦ ପଦବୀରେ ଥିବା ଆଦିବାସୀ ମାନେ ଉପସ୍ଥିତ ଥିଲେ।

Comments are closed.