ବ୍ରାହ୍ମଣି ନଦୀରେ ବୁଡ଼ିଲା ଡ଼ଙ୍ଗା ; ଜଣେ ମୃତ, ଜଣେ ନିଖୋଜ

ଜଗତସିଂହପୁର : ଆଜି ସକାଳୁ ବ୍ରାହ୍ମଣୀ ନଦୀର ଏକମାଣିଆ-ଦକ୍ଷିଣଡିହା ନଦୀଘାଟରେ ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ୧୫ ବର୍ଷର ନାବାଳକ ଦେବ ପ୍ରସାଦ ବେହେରାଙ୍କର ମୃତ୍ୟୁ ଘଟିଛି । ଡ଼ଙ୍ଗା ଚଳାଉଥିବା ନାଉରିଆ ନିଖୋଜ ହୋଇ ଯାଇଛନ୍ତି।
ସକାଳ ୬ଟା ସମୟରେ କେରଡାଗଡରୁ କଟକ ଯାଉଥିବା ଥିବା ଏକ ବସ୍ ଧରିବା ପାଇଁ ଏକମାଣିଆ, ନଳପାହି,ଦକ୍ଷିଣଡିହା ଗ୍ରାମର ପ୍ରାୟ ୪୦ ଯାତ୍ରୀ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ। ବସ୍ ଧରିବା ପାଇଁ ତରବର ହେଉଥିବା ଯାତ୍ରୀମାନେ ନଦୀପଠାରେ ଲାଗିଥିବା ଡଙ୍ଗାକୁ ଦକ୍ଷିଣ ଡିହା ନଦୀଘାଟରୁ ନଦୀ ଭିତରକୁ ଠେଲୁଥିବା ସମୟରେ ଡଙ୍ଗାଟି ହଠାତ୍ ଦ୍ରୁତଗତିରେ ନଦୀ ଭିତରକୁ ଚାଲିଯାଇ ଭାରସାମ୍ୟ ହରାଇ ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲା। ଘାଟିଆ ସୁଦର୍ଶନ ସ୍ବାଇଁ ବୁଡ଼ି ଯାଉଥିବା ଯାତ୍ରୀମାନଙ୍କୁ ଜଣକ ପରେ ଜଣେ ଉଦ୍ଧାର କରିଥିଲେ। ହେଲେ ନଦୀରେ ବୁଡ଼ିଥିବା ଦେବ ପ୍ରସାଦ ବେହେରାଙ୍କୁ ଉଦ୍ଧାର କରିବା ସମୟରେ ଉଭୟେ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇଥିଲେ ଓ ସ୍ଥାନୀୟ ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ନଦୀରେ ୨ ନିଖୋଜଙ୍କୁ ଖୋଜୁଥିବା ବେଳେ ବିଳମ୍ବରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡ଼ିଛି। ନାବାଳକର ମୃତଦେହ ଉଦ୍ଧାର ହେବାପରେ ଦକ୍ଷିଣଡିହା ସମେତ କେରଡା ଗଡ ନଦୀଘାଟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Comments are closed.