ଆଠଗଡ଼ ମହୋତ୍ସବ ପାଇଁ ପ୍ରତିଯୋଗିତାର ଶୁଭାରମ୍ଭ

ଆଠଗଡ଼: ଆଠଗଡ଼ ମହୋତ୍ସବ ୨୦୨୩ ଆଗାମୀ ଡିସେମ୍ବର ୧୫ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ତାର ଅବ୍ୟବହିତ ପୂର୍ବରୁ ଏଥିନିମନ୍ତେ ମଙ୍ଗଳବାର ବିଭିନ୍ନ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆଜି ପ୍ରଥମ ପର୍ଯ୍ୟାୟରେ ମହିଳା ମାନଙ୍କ ମଧ୍ୟରେ ଶଙ୍ଖନାଦ, ହୁଳହୁଳି ଓ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ଏଥିରେ ପ୍ରାୟ ୧୧୫ଜଣ ମହିଳା ଅଂଶଗ୍ରହଣ କରିଥିଲେ। ଆଠଗଡ଼ ମହୋତ୍ସବର ଆବାହକ ତଥା କାର୍ଯ୍ୟକାରୀ ସଭାପତି ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଏଥିରେ ମୁଖ୍ୟଅତିଥି, ମହୋତ୍ସବ ପାଳନ କମିଟିର ସଂପାଦକ ତଥା ନଗରପାଳ ସସ୍ମିତା ରାଉତ ଓ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଘର ଚାରିକାନ୍ଥ ମଧ୍ୟରେ ରହୁଥିବା ମହିଳାମାନଙ୍କର ବହୁ ପ୍ରତିଭା ଲୁକାୟିତ ଅବସ୍ଥାରେ ରହିଥିବାରୁ ଏହି ମହୋତ୍ସବ ମାଧ୍ୟମରେ ସେମାନଙ୍କର ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମନ୍ୱୟ କମିଟିର ସହସଂଯୋଜକ ଯଶୋବନ୍ତ ବାରିକ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କ୍ରୀଡା କମିଟିର ସଂପାଦକ ପ୍ରଦ୍ୟୁମ୍ନ କୁମାର ରାୟସାମନ୍ତ ଓ ସହ ସଂଯୋଜକ ଶିକ୍ଷାବିତ୍‌‌ ପର୍ଶୁରାମ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ପାର୍ଥସାରଥୀ ପଟ୍ଟନାୟକ, ନବକିଶୋର ରାଉତ, ଶୁଭାଶିଷ ଥମ୍ବ, ମହେନ୍ଦ୍ର କୁମାର ରାୟ, ଶିକ୍ଷକ ଦିପ୍ତୀରଞ୍ଜନ ବେହେରା, ସଂଜୟ କୁମାର ବେହେରା, ସୁବାସ ରାଉତ, ସରସୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗୀଙ୍କର ମୂଲ୍ୟାୟନ କରିଥିଲେ।

Comments are closed.