ଛେଳି ବେପାରୀଙ୍କୁ ହତ୍ୟା ଓ ଡକାୟତି ଘଟଣା – ମାଷ୍ଟର ମାଇଣ୍ଡ ସମେତ ୭ ଗିରଫ

ସୁନ୍ଦରଗଡ଼: ଗତ ୧୩ତାରିଖ ଦିନ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା କରିବା ସହ ଦୁବୁର୍ତ୍ତମାନେ ତାଙ୍କଠାରୁ ୯ଲକ୍ଷ ଟଙ୍କା ନେଇ ଫେରାର ହେବା ଘଟଣାରେ ପୁଲିସକୁ ବେଶ ସଫଳତା ମିଳିଛି। ମାଷ୍ଟରମାଇଣ୍ଡ ଓ ୨ ଆନ୍ତରାଜ୍ୟ ଅପରାଧି ସମେତ ପୁଲିସ ୭ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଘଟଣାରେ ବ୍ୟବହୃତ ଦୁଇ ବାଇକ, ଦୁଇ ପିସ୍ତଲ, ୪ଜିଅନ୍ତା ଗୁଳି, ଭୁଜାଲି, ୭ମୋବାଇଲ ଫୋନ, ନଗଦ ୯୫୦୦ ଟଙ୍କା ଜବତ ହୋଇଥିବାର ସୁନ୍ଦରଗଡ଼ ଏସ.ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି। ଆଜି ଲେଫ୍ରିପଡ଼ା ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଦିବାକର ସମଗ୍ର ଘଟଣା ସଂପର୍କରେ ସୂଚନା ଦେବା ସହ ମୃତ ଛେଳି ବେପାରୀ ପ୍ରଭାତ ନାଏକଙ୍କ ପଡ଼ୋଶୀ ସୁଧିର କିଶାନର ସଂପୃକ୍ତି ଓ ଯୋଜନା ସଂପର୍କରେ କହିଥିଲେ।

ସଦର ଏସ.ଡି.ପି.ଓ ହିମାଂଶୁ ଶେଖର ବେହେରାଙ୍କ ନେତୃତ୍ବରେ ଗଠିତ ତଦନ୍ତକାରୀ ଦଳରେ ଲେଫ୍ରିପଡ଼ା ଥାନା ଅଧିକାରୀ ସୁଶାନ୍ତ ନାଏକ, ଭଷ୍ମା ଥାନା ଅଧିକାରୀ ଦିପ୍ତୀରଞ୍ଜନ ସାହୁ, ସର୍ଗିପାଲି ଫାଣ୍ଡି ଅଧିକାରୀ ପି.ପି.ଜେନା ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଏହି ଦଳରେ ସାମିଲ ଥିଲେ ବୋଲି ଏସ.ପି ଦିବାକର ସୂଚନା ଦେଇଥିଲେ। ଉକ୍ତ ଘଟଣା ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଥିଲେ ହିଁ ପୁଲିସ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇ ସଫଳତା ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶ୍ବସ୍ତି ପ୍ରକାଶ ପାଇଛି। ଘଟଣା ଘଟିବା ପରେ ଦୈନିକ ‘ସମାଜ’ରେ ଆନ୍ତରାଜ୍ୟ ଅପରାଧିଙ୍କ ସଂପୃକ୍ତି ସଂପର୍କରେ ଖବରମାନ ପ୍ରକାଶ ପାଇଥିଲା। ସୂଚନା ଯୋଗ୍ୟ, ଗତ ୧୩ତାରିଖ ଭୋର ୫ଟାରେ ଛେଳି ବେପାରୀ ପ୍ରଭାତ ନାଏକ ୯ଲକ୍ଷ ଟଙ୍କା ନେଇ ତାଙ୍କ ଦୁଇ ସହଯୋଗୀଙ୍କ ସହ ବାଇକରେ ହାଣ୍ଡିପାନି ବଜାରକୁ ଛେଳି କିଣିବା ପାଇଁ ଯାଉଥିବା ବେଳେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ବାଇକରେ ୩ଜଣ ଦୁବୁର୍ତ୍ତ ଆସି ତାଙ୍କୁ ଅଟକିବା ପାଇଁ କହି ତାଙ୍କ ବାଇକକୁ ଗୋଇଠା ମାରିବାରୁ ବାଇକଟି ଓଲଟି ପଡ଼ିଥିଲା। ଏତିକି ବେଳେ ବେପାରୀ ପ୍ରଭାତ ଲୁଟିଆ ସନ୍ଦେହ କରି ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଦୁବୁର୍ତ୍ତମାନେ ପ୍ରଥମେ ଏକ ଫାଙ୍କା ଗୁଳି ଚାଳନା କରିବା ପରେ ସିଧାସଳଖ ପ୍ରଭାତଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପ୍ରଭାତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

Comments are closed.