ଅକ୍ଷିମୁଠି ଅନୁକୂଳ କଲେ ରୁଦ୍ରପ୍ରତାପ

ପିପିଲି: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ପମସରା ପଞ୍ଚାୟତ ଅନ୍ତର୍ଗତ କୌଶଲ୍ୟାପୁର ଗ୍ରାମ ଠାରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି। କୃଷି ଓ କୃଷକଙ୍କ ଉନ୍ନତି କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ଭଲ ଫସଲ ଅମଳ ହେବାର ଶୁଭମନାସୀ ବିଧାୟକ ଶ୍ରୀମହାରଥୀ ରବିବାର ପୂର୍ବାହ୍ନରେ ପାରମ୍ପରିକ ରୀତିନିତୀ ଅନୁଯାଇ ଅକ୍ଷିମୁଠି ଅନୁକୂଳ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପିପିଲିର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଜମିରେ ପୂଜାର୍ଚ୍ଛନା କରାଯିବା ପରେ ଶ୍ରାମହାରଥୀ ନିଜେ ବଳଦ ଓ ଲଙ୍ଗଳ ଦ୍ୱାରା ଚାଷଜମିକୁ ହଳ କରିଥିଲେ। ପରେ ସେ ଅତି ନିଷ୍ଠାପର ସହ ଟୋକେଇ ମୁଣ୍ଡେଇ ମା’ ଲକ୍ଷ୍ମୀ ଠାକୁରାଣୀ, ଭଗବାନ ସୂର୍ଯ୍ୟ, ଇନ୍ଦ୍ର ଦେବତା ଓ ମା’ ବସୁମତୀଙ୍କୁ ସ୍ମରଣ କରି ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପିପିଲି ଏନ୍‌‌ଏସି ଅଧ୍ୟକ୍ଷ ସେକ୍‌‌ ବାବୁ, ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଜିଲା ବିଜେଡି ସଂପାଦକ ସତ୍ୟଜିତ ରାୟଚୌଧୁରୀ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ସଂପାଦକ ବିଶ୍ୱଜିତ ଦାଶ, ମଣ୍ଡଳ କୃଷି ଅଧିକାରୀ ପିୟୁଷ ପଲ୍ଲଭ ପରିଡ଼ା, ସହକାରୀ କୃଷି ଅଧିକାରୀ ସସ୍ମିତା ମହାନ୍ତି, ବୈଷୟିକ ପରିଚାଳକ ଉମାକାନ୍ତ ଦଳାଇ, ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ମିଲନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.