ଇଣ୍ଟରନେଟ୍‍ ଓ ପାୱାର ବ୍ୟାକ୍‍ଅପ୍‍ ସମସ୍ୟା: ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଇ-ମୂଲ୍ୟାୟନରେ ବିଭ୍ରାଟ

କେନ୍ଦୁଝରଗଡ: ଇଣ୍ଟରନେଟ୍‍ ସାଙ୍ଗକୁ ପାୱାର ବ୍ୟାକ୍‍ଅପ୍‍ ସମସ୍ୟା ଯୋଗୁଁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଇ-ମୂଲ୍ୟାୟନରେ ମଙ୍ଗଳବାର ବିଭ୍ରାଟ ଦେଖାଦେବା ସହ ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଛି। ଚଳିତମାସ ୧୦ ତାରିଖରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ବିଷୟ ପାଇଁ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ନିମନ୍ତେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଇ-ମୂଲ୍ୟାୟନ କେନ୍ଦ୍ରରେ ପାଇଁ ୭ଟି ଟେବୁଲ ପାଇଁ ସରକାରଙ୍କ ପକ୍ଷରୁ ୫୯ଜଣ ପରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେଥିମଧ୍ୟରୁ ୪୨ଜଣ ଉପସ୍ଥିତ ରହି ମୂଲ୍ୟାୟନରେ ସାମିଲ ହୋଇଥିବା ବେଳେ ୧୭ଜଣ ଅନୁପସ୍ଥିତ ରହିଛନ୍ତି। ଚଳିତମାସ ୨୨ ତାରିଖ ମୂଲ୍ୟାୟନ ଶେଷ ନିମନ୍ତେ ପ୍ରାଥମିକ ଧାର୍ଯ୍ୟ କରାଯାଇଥିବା ବେଳେ ଉକ୍ତ ମୂଲ୍ୟାୟନ କେନ୍ଦ୍ରରେ ଇଣ୍ଟରନେଟ୍‍ ସାଙ୍ଗକୁ ପାୱାର ବ୍ୟାକ୍‍ଅପ୍‍ ସମସ୍ୟା ଯୋଗୁଁ ମୂଲ୍ୟାୟନ ଅନେକ ସମୟ ବିଭ୍ରାଟ ଦେଖାଦେବା କାରଣରୁ ମୂଲ୍ୟାୟନ ପାଇଁ ନିୟୋଜିତ ନିରୀକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମୂଲ୍ୟାୟନ ଚାଲିଥିବା ବେଳେ ହଠାତ୍‍ ଇଣ୍ଟରନେଟ୍‍ କଟି ଯାଉଥିବାରୁ ମୂଲ୍ୟାୟନ ଚାଲିଥିବା ଖାତା ପୁଣିଥରେ ଆରମ୍ଭରୁ ଦେଖିବାକୁ ପଡୁଥିବାରୁ ପରୀକ୍ଷକଙ୍କୁ ମୂଲ୍ୟାୟନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିଭଳି ଅନେକ ସମୟରେ ବିଦ୍ୟୁତ୍‍ କାଟ୍‍ ହେଉଥିବା କାରଣରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ପାୱାର ବ୍ୟାକ୍‍ଅପ୍‍ ସଠିକ୍‍ ଭାବେ କାର୍ଯ୍ୟ କରୁନଥିବାରୁ କମ୍ପ୍ୟୁଟର ସଟ୍‍ଡାଉନ ହେବା ଯୋଗୁଁ ପୁଣିଥରେ କମ୍ପ୍ୟୁଟର ଖୋଲାଯାଇ ମୂଲ୍ୟାୟନ ଆରମ୍ଭ କରିବାରେ ବହୁ ସମୟ ବିଳମ୍ବ ହେଉଥିବା ନେଇ ପରୀକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମଙ୍ଗଳବାର ସକାଳ ୮ଟାରୁ ମୂଲ୍ୟାୟନ ଆରମ୍ଭ ସମୟରୁ ଇଣ୍ଟରନେଟ୍‍ ସମସ୍ୟା ଦେଖା ଦେଇଥିବା ବେଳେ ପୂର୍ବାହ୍ନ ୧୧ଟା ୩୦ମି. ସମୟରୁ ଆଦୌ ଇଣ୍ଟରନେଟ୍‍ ନରହିବା କାରଣରୁ ମୂଲ୍ୟାୟନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା କାରଣରୁ ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ପରୀକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଇଣ୍ଟରନେଟ୍‍ ସମସ୍ୟା କାରଣରୁ ଇ-ମୂଲ୍ୟାୟନ ମଙ୍ଗଳବାର ବାଧାପ୍ରାପ୍ତ ହୋଇଥିଲେ ହେଁ କେତେକ ନିରୀକ୍ଷକ ନିଜ ନିଜ ମୋବାଇଲ ଇଣ୍ଟରନେଟ୍‍ ଜରିଆରେ ମୂଲ୍ୟାୟନ କରିଥିବା ଜୋନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡି କହିଛନ୍ତି। ଇଣ୍ଟରନେଟ୍‍ ସମସ୍ୟା କେତେକାଂଶରେ ଦେଖା ଦେଇଥିବାରୁ ମୂଲ୍ୟାୟନକ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇଥିଲେ ହେଁ ବିଦ୍ୟୁତ୍‍କାଟ୍‍ ହେଲେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ପାୱାର ଜେନେରେଟର ଥିବାରୁ ବିଦ୍ୟୁତ୍‍ କାଟ୍‍ ହେଲେ ମୂଲ୍ୟାୟନ ପାଇଁ ଉଦ୍ଦିଷ୍ଟ କମ୍ପ୍ୟୁଟର ନିମନ୍ତେ ପାୱାର ବ୍ୟାକ୍‍ଅପ୍‍ର କୌଣସି ସମସ୍ୟା ନାହିଁ ବୋଲି ଜୋନ ଅଧିକାରୀ ଶ୍ରୀ ମାରାଣ୍ଡି କହିଛନ୍ତି।

ଆଜିକୁ ୨ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ୱାଇଫାଇଯୁକ୍ତ ସୁବିଧା ଥିବାବେଳେ କେଉଁ କାରଣରୁ ଇ-ମୂଲ୍ୟାୟନ ଚାଲିଥିବା ସମୟରେ ଇଣ୍ଟରନେଟ୍‍ ସମସ୍ୟା ସର୍ବଦା ଲାଗି ରହିଛି ତାହା ମହାବିଦ୍ୟାଳୟ ପରସିର ୱାଇଫାଇକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ପ୍ରଥମଥର ପାଇଁ ପତିତପାବନ ମହାବିଦ୍ୟାଳୟ ସାଇଁକୁଳକୁ ଇ-ମୂଲ୍ୟାୟନ କେନ୍ଦ୍ର ନିରୁପଣ କରାଯାଇ ସୁରୁଖୁରୁରେ ମୂଲ୍ୟାୟନ ଚାଲିଥବା ବେଳେ ଜିଲାର ସର୍ବପୁରାତନ ତଥା ନିକଟରେ ବିଶ୍ୱବିଦ୍ୟାଳୟ ଘୋଷିତ ଏହି ମହାବିଦ୍ୟାଳୟର ଇ-ମୂଲ୍ୟାୟନକେନ୍ଦ୍ରରେ ଇଣ୍ଟରନେଟ୍‍ ସମସ୍ୟା ଯୋଗୁଁ ମୂଲ୍ୟାୟନରେ ବିଭ୍ରାଟ ପରୀକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଧାର୍ଯ୍ୟ ସମୟରେ ମୂଲ୍ୟାୟନ ଶେଷ ହେବାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.