ପ୍ରବଳ ଗ୍ରୀଷ୍ମ ପ୍ରବାହ, ଖୋଲୁନି ଜଳଛତ୍ର

ମୋହନା: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବା ଯୋଗୁଁ ସରକାର ସବୁ ବ୍ଳକ ଓ ଗ୍ରାମ ପଞ୍ଚାୟତରେ ଏପ୍ରିଲ ୧୫ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ୭୫ ଦିନ ନିମନ୍ତେ ପ୍ରବଳ ଖରା ଯୋଗୁଁ ପଥଚାରୀଙ୍କୁ ପିଇବା ପାଣି ବଣ୍ଟନ ନିମନ୍ତେ ସୁବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ପଞ୍ଚାୟତର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସେଡ ନିର୍ମାଣ କରି ମାଟି ମାଠିଆରେ ପାଣି ବ୍ୟବସ୍ଥା ରହିବା ସହ ଜଣେ ବ୍ୟକ୍ତିକୁ ନିୟୋଜିତ କରାଯାଇଥାଏ। କିନ୍ତୁ ଗଜପତି ଜିଲ୍ଲା ମୋହନା ବ୍ଲକର ବହୁ ପଞ୍ଚାୟତରେ ଜଳଛତ୍ର ଖୋଲାଯାଇଥିବା ବେଳେ ସଦର ମହକୁମା ମୋହନା ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ଜଳଛତ୍ର ଖୋଲାଯାଇନି। ରାତି ପାହିଲେ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ଶହ ଶହ ଲୋକ ଏଠାକୁ ଆସିଥାନ୍ତି। କିନ୍ତୁ ଜଳଛତ୍ର ଖୋଲା ଯାଇନଥିବା ଯୋଗୁଁ ଗରୀବ ଲୋକେ ବାଧ୍ୟ ହୋଇ ଦୋକାନରୁ ପାଣି ବୋତଲ କିଣି ଆଣି ଶୋଷ ମେଣ୍ଟାଉଛନ୍ତି। ମୋହନା ଏକ ବୃହତ୍ତମ ବ୍ଳକ ହୋଇଥିବାରୁ ଏଠାରେ ପଥଚାରୀଙ୍କୁ ପିଇବା ପାଣିର ଆବଶ୍ୟକତା ଅଧିକ ରହିଥିବାରୁ ତୁରନ୍ତ ସ୍ଥାନୀୟ ପଞ୍ଚାୟତରେ ଜଳଛତ୍ରର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଓ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।

ଏ ସଂପର୍କରେ ମୋହନା ସରପଞ୍ଚ ସୁନିତା ମଳିକଙ୍କୁ ପଚାରିବାରୁ ସେ କହିଛନ୍ତି ଜାତୀୟ ଅର୍ଥ କମିଶନ (ସିଏଫସି) ଫଣ୍ଡରୁ ଅର୍ଥ ବ୍ୟୟ କରି ଜଳଛତ୍ରର ବ୍ୟବସ୍ଥା କରାଯିବ। ଏନେଇ ପଞ୍ଚାଯତ ବୈଠକରେ ସ୍ଥିର ହେବ। ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବଦଳି ହୋଇଯାଇଥିବା ଯୋଗୁଁ ଜଳଛତ୍ର ଖୋଲିବାରେ ବିଳମ୍ବ ହୋଇଛି।

Comments are closed.