ରେଙ୍ଗାଲି ଉଦ୍ୟାନ ବିଭାଗରେ ଦୁର୍ନୀତି, ଚାଷୀଙ୍କ ଠାରୁ ଟଙ୍କା ଅସୁଲି ଅଭିଯୋଗ

ରେଙ୍ଗାଲି: ସରକାର ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଏମବିଏଚ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ଆଗ୍ରହୀ ଚାଷୀମାନଙ୍କୁ ବିହନ/ଫଳ ଚାରା ଯୋଗାଇ ଦେବା ବାବଦରେ ୨୫ଶହ ଟଙ୍କା ଜମା ଦେବାକୁ ପଡୁଛି। ୨୫ ଶହ ଟଙ୍କା ଜମା ଦେଲେ ସଂପୃକ୍ତ ଚାଷୀଙ୍କୁ ୭ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯାଉଛି। ତେବେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଟାମ୍ପରକେଲା ପଞ୍ଚାୟତ ଅଞ୍ଚଳରେ ଏହି ଯୋଜନାରେ ସାମିଲ ହୋଇ ଥିବା ଆଗ୍ରହୀ ଚାଷୀମାନଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଶୋଷଣ କରାଯାଇ ଟଙ୍କା ଅସୁଲ କରାଯାଉଛି ବୋଲି ସମିତି ସଭ୍ୟ ସନାତନ ସାହୁ ଅଭିଯୋଗ କରିଛନ୍ତି।

ଶ୍ରୀ ସାହୁ ଏ ସଂକ୍ରାନ୍ତରେ ଗତ କିଛିଦିନ ତଳେ ବ୍ଳକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସମିତି ବୈଠକରେ ଅଭିଯୋଗ କରି ଏହା ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି। ଏମ୍ ବି ଏଚ୍ ଯୋଜନାରେ ସାମିଲ ହୋଇଥିବା ଚାଷୀ ମାନଙ୍କ ଠାରୁ ଉଦ୍ୟାନ ବିଭାଗ ଇସାରାରେ କୃଷକ ସାଥି ୨୫ ଶହ ଟଙ୍କା ଲେଖାଏଁ ଅସୁଲ କରି ନେଉଛନ୍ତି। କିନ୍ତୁ ନିୟମ ଅନୁସାରେ ସଂପୃକ୍ତ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ୭ ହଜାର ଟଙ୍କା ନ ଦେଇ ମାତ୍ର ୪୫ ଶହ ଟଙ୍କା ଚାଷୀଙ୍କୁ ଦେଇ ୨୫ ଶହ ଟଙ୍କା ବାଟମାରଣା କରୁଛନ୍ତି। ଚାଷୀ ମାନଙ୍କୁ ଏଭଲି ବେଧଡ଼କ ଶୋଷଣ କରି ସରକାର ଦେଉଥିବା ପ୍ରୋତ୍ସାହନ ରାଶି ସାତ ହଜାର ଟଙ୍କାରୁ ୨୫ ଶହ ଟଙ୍କା ହଡପ କରିବା ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ସାହୁ ଦାବୀ କରିଛନ୍ତି।

ଅପରପକ୍ଷରେ ଚାଷୀ ମାନଙ୍କ ଠାରୁ ଟଙ୍କା ଅସୁଲି ଏବଂ ୨୫ ଶହ ଟଙ୍କା ବାଟ ମାରଣା ହେଉଥିବା ସଂକ୍ରାନ୍ତରେ ଅଭିଯୋଗ ହେଉଥିବାର ସୁରାକ୍ ପାଇ ବିଭାଗୀୟ କର୍ମଚାରୀ କିଛି ଚାଷୀଙ୍କୁ ଟଙ୍କା ଫେରସ୍ତ କରିଥିବା ଜଣାପଡିଛି।

Comments are closed.