ଏପଟେ ସଚେତନତା, ସେପଟେ ହତ୍ୟା – ୬ ଗିରଫ

ଫୁଲବାଣୀ: ଗୋଟିଏ ପଟେ ଜିଲା ପ୍ରଶାସନ ପକ୍ଷରୁ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁର୍ଣ୍ଣକାରୀ ପ୍ରଥା। ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ଜିଲ୍ଲା ପ୍ରଶାସନ, କନ୍ଧମାଳ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ସେପଟେ ଗୁଣିଗାରେଡ଼ିକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ହତ୍ୟା କରାଯିବା ଓ ଏହି ଘଟଣାରେ ୬ ଜଣ ଗିରଫ ହେବା ଘଟଣା ସମଗ୍ର ଜିଲାରେ ଆଲୋଚ୍ୟର ବିଷୟ ହୋଇଛି।

କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପାବେରି ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ପ୍ରକାରେ, ଖଜୁରୀପଡା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରରେ ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଗିରଫ ମଧ୍ୟରେ ୩ ପୁରୁଷ ଓ ତିନି ମହିଳା ରହିଛନ୍ତି। ସୂଚନା ଅନୁଯାୟୀ, ଖଜୁରୀପଡା ଥାନା ଅନ୍ତର୍ଗତ ପାବେରୀ ପଧାନପଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଦମୟନ୍ତୀ ମଲ୍ଲିକ ନାମକ ଜଣେ ମହିଳାଙ୍କୁ ସୋମବାର ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା। ଏଥିରେ ଦମୟନ୍ତୀ ଗୁରୁତର ହେବା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଘର ଲୋକେ କୌଣସି ପ୍ରକାରେ ଖଜୁରୀପଡା ମେଡିକାଲକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଥାନା ଅଧିକାରୀ ଗେଲୀ କୁମାରୀ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦମୟନ୍ତୀଙ୍କ ମୃତ୍ୟୁ ନେଇ ତାଙ୍କ ସ୍ବାମୀ ବିକାଶ ଥାନାରେ ଦେଇଥିବା ଏତାଲା ଅନୁଯାୟୀ, ସୋମବାର ଅପରାହ୍ନରେ ଗ୍ରାମର ସରୋଜିନୀ ମଲ୍ଲିକ ଘର ଭିତରେ ପଶି ଦମୟନ୍ତୀଙ୍କୁ ଚୁଟି ଧରି ବାହାରକୁ ଟାଣି ନେଇଥିଲେ। ଦମୟନ୍ତୀ ଗୁଣି କରୁଥିବା ଅଭିଯୋଗ କରି ସରୋଜିନୀଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ମିଶି ତାଙ୍କ ମୁହଁରେ ପରିଶ୍ରା କରିବା ସହ ତାଙ୍କୁ ପିଟି ପିଟି ମାରି ଦେଇଥିଲେ। ଏତଲା ଆଧାରରେ ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଦୁର୍ବାସା ମଲ୍ଲିକ (୪୦), ରଞ୍ଜିତା ମଲ୍ଲିକ (୩୦), ପ୍ରଦୀପ କୁମାର ମଲ୍ଲିକ (୩୫), କମଳ ମଲ୍ଲିକ (୫୦), ସରୋଜିନୀ ମଲ୍ଲିକ(୨୦), ସୁମନ ପ୍ରଧାନ (୩୪) ପ୍ରମୁଖଙ୍କୁ ଗିରଫ କରି ଅଧିକ ପଚରା ଉଚରା ଚଳାଇଥିବା ବେଳେ ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.