ଜମି କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ଦାବୀରେ ଆନ୍ଦୋଳନ

ପିପିଲି: ଜମି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଦାବୀରେ ପିପିଲି ବ୍ଲକ ଅନ୍ତର୍ଗତ ନିଜିଗଡ଼କୁରୁଖି ଜମି ସୁରକ୍ଷା ସମିତି ପକ୍ଷରୁ ପିପିଲି ତହସିଲ ସମ୍ମୁଖରେ ଶନିବାର ଗଣଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ପିପିଲି ତହସିଲ ଅନ୍ତର୍ଗତ ନିଜିଗଡ଼କୁରୁଖି ମୌଜାର ୩୦ଗୋଟି ଭୂମିହୀନ ଦଳିତ ପରିବାରକୁ ୧୯୮୨ ମସିହାରେ ୨ଏକର ଲେଖାଏଁ ମୋଟ୍‌‌ ୬୦ ଏକର କାଜୁ ଜଙ୍ଗଲ ପ୍ରଦାନ କରାଯାଇଥିଲା। ଏହି ଜମିକୁ ନେଇ ଉକ୍ତ ୩୦ଟି ପରିବାର ଆତ୍ମନିର୍ଭରଶୀଳ ହେବା ସହ ଜୀବନ ଜିବୀକା ନିର୍ବାହ ପାଇଁ ଏହା ସେମାନଙ୍କୁ ସରକାରଙ୍କ ପକ୍ଷରୁ ଇ.ଆର୍‌‌.ଆର୍‌‌.ପି ଯୋଜନାରେ ଲିଜ୍‌‌ ଆକାରରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଜମିକୁ ଏବେ ଘରୋଇ ଅନୁଷ୍ଠାନକୁ ଟେକି ଦେଇ ଗରିବ ଦଳିତ ଭୂମିହୀନଙ୍କ ଜମି ଓ ଜିବୀକାକୁ ଛଡାଇ ନେବା ପାଇଁ ଚକ୍ରାନ୍ତ ହୋଇଥିବାର ଗୁରୁତର ଅଭିଯୋଗ ସମିତି ପକ୍ଷରୁ କରାଯାଇଛି। ଏହାକୁ ନେଇ ନିଜିଗଡ଼କୁରୁଖି ଜମି ସୁରକ୍ଷା ସମିତି ପକ୍ଷରୁ ବରିଷ୍ଠ କୃଷକ ନେତା ଅଶୋକ ପ୍ରଧାନ, କିଶାନ ପଟ୍ଟନାୟକ, ମହେଶ୍ୱର ବେହେରା, ଗୋବିନ୍ଦ ବେହେରା, ସର୍ବେଶ୍ୱର ଭାରତୀ, ସୁନନ୍ଦ ଗଡ଼ନାୟକ, କୈଳାଶ ବେହେରା, ଗଙ୍ଗାଧର ସେଠୀ, ରବୀନ୍ଦ୍ର ସ୍ୱାଇଁ, କାହ୍ନୁଚରଣ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶନିବାର ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଘଣ୍ଟା କାଳ ଗଣଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କ୍ଷତିଗ୍ରସ୍ତ ଭୂମିହୀନ ଦଳିତ ପରିବାରଙ୍କୁ ଉପଯୁକ୍ତ ପରିମାଣର ଜମି ପ୍ରଦାନ କରାଯିବା, ଜୀବିକା ନିର୍ବାହ ପାଇଁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ଜମି ଓ ଜଙ୍ଗଲର ସୁରକ୍ଷା କରାଯିବା ନିମନ୍ତେ ସମିତି ପକ୍ଷରୁ ଦାବି କରାଯାଇଥିଲା। ଏହି ଦାବୀ ସଂପର୍କିତ ଏକ ସ୍ମାରକପତ୍ରକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପିପିଲି ତହସିଲଦାର ପୁନମ ମହାପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

Comments are closed.