‘ଭାରତ ପୁନର୍ଗଠନ ପାଇଁ ଓଡ଼ିଶାର ପୁନର୍ଗଠନ ଜରୁରୀ’

ଉତ୍ତର ଭୁବନେଶ୍ୱର : ଜାତିର ପିତା ମହାତ୍ମାଗାନ୍ଧୀ  ଭାରତ ବର୍ଷର ସ୍ଥିତି ଦେଖି କହିଥିଲେ ପ୍ରକୃତ ଭାରତ ହେଉଛି ଆମ ଗାଁରେ। ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜର ପରିକଳ୍ପନା ଆଜିବି ବଞ୍ଚି ରହିବାର ଆବଶ୍ୟକତା ଅଛି ବୋଲି ମହାମାରୀ କରୋନା ସମୟରେ ସମସ୍ତେ ଅନୁଭବ କରିଛନ୍ତି। ତେଣୁ ଗ୍ରାମ ପୁନର୍ଗଠନର ଆବଶ୍ୟକତା  ଥିବାବେଳେ ଭାରତର ପୁନର୍ଗଠନ ପାଇଁ ଓଡ଼ିଶାର ପୁନର୍ଗଠନ ଜରୁରୀ ବୋଲି ରବିବାର ସନ୍ଧ୍ୟାରେ ସିୱାଇଏସଡି ସମ୍ମିଳନୀ କକ୍ଷରେ ଆୟୋଜିତ ଓଡ଼ିଶା ପୁନର୍ଗଠନ ଅଭିଯାନର ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ. ଭଗବାନ ପ୍ରକାଶ ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଡ. ଭି.ପି ରାଜଗୋପାଳ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ କହିଥିଲେ ଯେ ହିଂସା, ନିଶା  ଏବଂ ବେକାରୀ ମୁକ୍ତ ଓଡ଼ିଶା ପାଇଁ କାମ କରିବାକୁ ପଡ଼ିବ। ତେବେ ଯାଇ ଓଡ଼ିଶାର ପୁନର୍ଗଠନ ସମ୍ଭବ ହେବ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅରୁନ୍ଧତୀ ଦେବୀ, ସାମାଜିକ କର୍ମୀ ଋତୁପର୍ଣ୍ଣା ମହାନ୍ତି, ପ୍ରହଲ୍ଲାଦ ସିଂ, ନିରାକାର ଦାସ, ବିଜୟ ଭାଇ, ଡ. ବିକାଶ ଦାସ, ଡ. ସୁଶାନ୍ତ ପଟ୍ଟନାୟକ, ଅକ୍ଷୟ କୁମାର, ଡ. ଦିଲୀପ ଶ୍ରୀଚନ୍ଦନ, କାହ୍ନୁଚରଣ ବେଉରା, ଶ୍ରୀସ୍ୱମ୍‌, ଡ. ରୋଜାଲିନ ପାଟ୍ଟଶାଣୀ, ସ୍ୱର୍ଣ୍ଣଲତା ଜେନା ପ୍ରମୁଖ ନିଜର ମତ ରଖିଥିଲେ।   ସିୱାଇଏସଡିର ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଓଡ଼ିଶା ପୁନର୍ଗଠନ ଅଭିଯାନର ଆବାହକ ମଧୁସୂଦନ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପ, ସିୱାଇଏସଡି, କ୍ଲାପ୍‌, ବିକଳ୍ପ ଟ୍ରଷ୍ଟ, ଏକତା ପରିଷଦ ଏବଂ ପରିଚୟ ଫାଉଣ୍ଡେସନର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରୀୟ ଜୋନ୍‌ ଆବାହକ ରଘୁନାଥ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ଆୟୋଜକ ସଂଗଠନ ପକ୍ଷରୁ ରାଜଗୋପାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Comments are closed.