ମନରେଗା ଏବଂ ଗ୍ରାମୀଣ ଆବାସ ଯୋଜନା ସମ୍ବନ୍ଧରେ ଜନ ଶୁଣାଣୀ

କଲମପୁର: କଲମପୁର ସମିତି କାର୍ଯ୍ୟାଳୟ ପରିସରରେ ଥିବା ଏସ.ଜି.ଏସ.ୱାଇ ମିଟିଂହଲ ଠାରେ ଶନିବାର ଦିନ ମନରେଗା ଯୋଜନା ଏବଂ ଗ୍ରାମୀଣ ଆବାସ ଯୋଜନା ସମ୍ବନ୍ଧରେ ଏକ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେଇଯାଇଛି। ଏଥିରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବ୍ରତ କୁମାର ନାୟକ ନୋଡାଲ ଅଧିକାରୀ ଭାବେ ଯୋଗ ଦେଇଥିଲେ। ସମିତି ଅଧ୍ୟକ୍ଷା ମୋତି ବିହାରୀ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି ପ୍ରମୁଖ ମଂଚାସୀନ ହେଇଥିଲେ। ଏଥିରେ ବନପାଳ ସୀମା ଝଙ୍ଗଡାମାଝୀଙ୍କ ସମେତ ପ୍ରତ୍ୟେକ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ବୈଷୟିକ ସହାୟକ, ଭି.ଆର.ପି ଓ ମେଟ ମାନେ ଉପସ୍ଥିତ ଥିଲେ। ମନରେଗା ଓ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକ୍ରମରେ ସରପଂଚ ମାନଙ୍କ ମୁଖ୍ୟ ଭୂମିକା ଥିଲେ ମଧ୍ୟ କେବଳ ବଡକୁଟୃ ସରପଂଚ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ବ୍ୟତିତ ଅନ୍ୟ କେହି ସରପଂଚ ଅଥବା ଶ୍ରମିକ ଏବଂ ହିତାଧିକାରୀମାନେ ଉପସ୍ଥିତ ନଥିଲେ। ଯେଉଁଥିପାଇଁ ଏହି ଯୋଜନାର ଅଗ୍ରଗତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୧,୪୯,୨୨୪ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯାଇଥିବା ସୁଚନା ଦେଇଥିଲେ। ଏହାପରେ ବିଭିନ୍ନ ପଂଚାୟତର ପ୍ରକଳ୍ପର ଅଗ୍ରଗତି ନେଇ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ମାନେ ମତ ଉପସ୍ଥାପନ କରିଥିଲେ। ଏହାସହ ଗତ ବର୍ଷର ସମାଜିକ ସମୀକ୍ଷାର ବିବରଣୀ ଉପସ୍ଥାପନ କରାଯାଇଥିଲା। ମନରେଗାର ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ବେଲାଳସେନ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମୀଣ ଆବାସ ଯୋଜନାର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଗୁଣନିଧି ନାଏକ ସହଯୋଗ କରିଥିଲେ।

Comments are closed.