ଅସହ୍ୟ ତାତିରେ ସିଝୁଛି ତିଗିରିଆ, ଜନଜୀବନ ଅସ୍ତବ୍ୟସ୍ତ

ତିଗିରିଆ: ତାତିରେ ସିଝୁଛି ପୁରା ତିଗିରିଆ। ଦିନ ୧୦ଟା ପରେ ଲୋକେ ବାହାରକୁ ବାହାରି ପାରୁନାହାଁନ୍ତି। ଶନିବାର ତିଗିରିଆର ବିଭିନ୍ନ ସ୍ଥାନରେ ତାପମାତ୍ର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି। ପ୍ରବଳ ତାତି ଯୋଗୁଁ ସ୍କୁଲ ବନ୍ଦ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖାଁଖାଁ ରହୁଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।

ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଉଛି ବୃକ୍ଷଶୁନ୍ୟ ରାଜପଥ। ଦିନ ୧୧ଟା ପରେ ଖୁଣ୍ଟୁଣି ନରସିଂହପୁର ୬୫ ନଂ ରାଜ୍ୟ ରାଜପଥ ଏକପ୍ରକାର ଶୂନଶାନ ହୋଇପଡୁଛି। ରାଜପଥ ପ୍ରଶସ୍ଥୀକରଣ ସମୟରେ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ବହୁପୁରୁଣା ଗଛଗୁଡ଼ିକୁ କାଟି ଦେବା ଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଲୋକେ ଗ୍ରୀଷ୍ମ ପ୍ରବାହ ସମୟରେ ସାମାନ୍ୟ ରାହା ନେବା ପାଇଁ ଛାଇ ଟିକେ ମିଳୁନି। ବ୍ଳକର ନୂଆସଡକ ଠାରୁ ନୂଆପାଟଣା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଗଛ ଗୁଡ଼ିକୁ କାଟି ଦେବା ଦ୍ବାରା ଏହି ରାସ୍ତା ଏବେ ଖାଁ ଖାଁ ହୋଇଛି। ଖାଲି ରାସ୍ତାଘାଟ ନୁହେଁ, ପ୍ରଚଣ୍ଡ ରୌଦ୍ର ତାପ ଯୋଗୁ ଦୋକାନ ବଜାର ଖୋଲାଥିଲେ ମଧ୍ୟ ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ବସ୍ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ଲୋକ ସତର୍କତା କାରଣରୁ ଯଦିଓ ଏଯାଏଁ ଅଞ୍ଚଳରେ ଅଂଶୁଘାତଜନିତ ସମସ୍ୟା ସୃଷ୍ଟି ହୋଇନାହିଁ, ଆଗକୁ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ଏହି ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି।

Comments are closed.