ଦୟନୀୟ ଦିଲ୍ଲୀ, କ୍ରମାଗତ ୫ମ ପରାଜୟ

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସର ଦୟନୀୟ ପ୍ରଦର୍ଶନ ଅବ୍ୟାହତ ରହିଛି। ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟର ଏକମାତ୍ର ଦଳ ଭାବେ ଦିଲ୍ଲୀ ପଏଣ୍ଟ ଖାତା ଖୋଲି ପାରିନାହିଁ। ଦଳ ତା’ର ପ୍ରଥମ ୫ଟିଯାକ ଲିଗ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଶନିବାର ଦିଲ୍ଲୀ କ୍ୟାପିଟାଲ୍‌ସକୁ ୨୩ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିିବି) ପରାସ୍ତ କରିଛି। ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୬ ୱିକେଟରେ‌ର ୧୭୪ ରନ୍‌ କରିଥିଲା। ପରେ ୩୦ ରନ୍‌ରେ ୪ଟି ୱିକେଟ ହରାଇବା ପରେ ଦିଲ୍ଲୀ କ୍ୟାପିଟାଲ୍‌ସ ୯ ୱିକେଟରେ ୧୫୧ ରନ୍‌ କରି ପାରିଥିଲା। ୪ର୍ଥ ମ୍ୟାଚ୍‌ରେ ଆର୍‌ସିବି ୨ୟ ବିଜୟ ହାସଲ କରିଛି।

ଦିଲ୍ଲୀ କ୍ୟାପିଟାଲ୍‌ସ ଦୟନୀୟ ଭାବେ ୧୭୫ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୩ୟ ଓଭରରେ ମାତ୍ର ୨ ରନ୍‌ ସ୍କୋର୍‌ରେ ଦିଲ୍ଲୀ ୩ଟି ୱିକେଟ ହରାଇଥିଲା। ମୁସ୍ତାଫିଜୁର ରେହ୍‌ମାନଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳି ଭାବେ ଖେଳିଥିବା ପୃଥ୍ବୀ ସ’ କୌଣସି ପ୍ରଭାବ ପକାଇ ପାରିନଥିଲେ। ପ୍ରଥମ ଓଭରରେ ବିନା ସ୍କୋର୍‌ରେ ପୃଥ୍ବୀ ରନ୍‌ଆଉଟ୍‌ ହୋଇଥିଲେ। ବିବାହ କରି ଭାରତ ଫେରିଥିବା ମିଚେଲ ମାର୍ଶ ପରବର୍ତ୍ତୀ ଓଭରରେ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ୩ୟ ଓଭରରେ ୟଶ୍ ଧୁଲ୍‌ ୧ ରନ୍‌କରି ବିଦାୟ ନେଇଥିଲେ। ୬ଷ୍ଠ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୧୩ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍‌କରି ବିଦାୟ ନେଇଥିଲେ। ଅଭିଷେକ ପୋରେଲ ୫ ରନ୍‌କରି ଆଉଟ ହେବା ବେଳକୁ ଦିଲ୍ଲୀ କ୍ୟାପିଟାଲ୍‌ସର ସ୍କୋର୍ ଥିଲା ୫୩ ରନ୍‌ରେ ୫ ୱିକେଟ। ଫଳରେ ଦିଲ୍ଲୀର ପରାଜୟ ନିଶ୍ଚିତ ଲାଗୁଥିଲା। ମନୀଷ ପାଣ୍ଡେ ଗୋଟିଏ ପଟେ ଭଲ ବ୍ୟାଟିଂକରି ଅର୍ଦ୍ଧଶତକ ହାସଲ କରିଥିଲେ। ପାଣ୍ଡେ ୩୮ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୦ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୪ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌ କରିଥିଲେ। ଅମନ ହକିମ୍ ଖାଁ ୧୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍‌ କରିଥିଲେ। ୧୨୮ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ଆନ୍‌ରିକ୍ ନୋର୍ଖିୟା ଲଢ଼ୁଆ ବ୍ୟାଟିଂକରି କେବଳ ପରାଜୟ ବ୍ୟବଧାନ ହ୍ରାସ କରିଥିଲେ। ନୋର୍ଖିୟା ୧୪ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। ବିଜୟକୁମାର ବୈଶାକ ୩ଟି ଓ ମହମ୍ମଦ ସିରାଜ୍‌ ୨ଟି ୱିକେଟ ନେଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ବରିଷ୍ଠ ଓପ୍‌ନର ଚମତ୍କାର ବ୍ୟାଟିଂକରି ୨୭ ବଲ୍‌ରୁ ୪୪ ରନ୍‌ର ଭାଗିଦାରୀ କରିଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସି ୧୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‌ କରିଥିଲେ। ୧୦ ଓଭରରେ ସ୍କୋର୍ ୮୯ ରନ୍‌ ହେବା ପରେ ବିରାଟ କୋହଲି ବିଦାୟ ନେଇଥିଲେ। ଚଳିତ ଆଇପିଏଲ୍‌ରେ ୩ଟି ଅର୍ଦ୍ଧଶତକ ହାସଲ କରିଥିବା କୋହଲି ୩୪ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୦ ରନ୍‌ କରିଥିଲେ। ମହିପାଳ ଲୋମରର ୧୮ ବଲ୍‌ରୁ ୨ଟି ଚୌକା ସହ ୨୬ ରନ୍‌ କରିଥିଲେ। ହର୍ଷଲ ପଟେଲ ମାତ୍ର ଗୋଟିଏ ଛକାମାରି ବିଦାୟ ନେଇଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂକରି ୧୪ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌ କରିଥିଲେ। ଦିନେଶ କାର୍ତ୍ତିକ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଲୋମରରଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳି ଭା​‌େ​‌ବ ଆସିଥିବା ଅନୁଜ ରାୱତ ଦୟନୀୟ ବ୍ୟାଟିଂକରି ୨୨ ବଲ୍‌ରୁ ୧୫ ରନ୍‌କରି ଅପରାଜିତ ଥିଲେ। ଶାହ୍‌ବାଜ ଅହମ୍ମଦ ୧୨ ବଲ୍‌ରୁ ୩ଟି ଚୌକା ସହ ୨୦ ରନ୍‌କରି ଅପରାଜିତ ଥିଲେ। କୁଲଦୀପ ଯାଦବ ଓ ମିଚେଲ ମାର୍ଶ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଅର୍ଦ୍ଧଶତକ ମାରିବା ସହ ୩ଟି କ୍ୟାଚ୍‌ ନେଇ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.