ପୋଇ ପାଣି ଓ ମୂଷାଖୋରୀରେ ଉଡାଯାତ୍ରା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ପ୍ରସିଦ୍ଧ ଚମ୍ପକେଶ୍ୱର ମହାଦେବ ପୀଠ ସଂଲଗ୍ନ ମା ବାସୁଳୀ ଠାକୁରାଣୀଙ୍କ ବାର୍ଷିକ ଉଡାଯାତ୍ରା ପର୍ଵ ଗତକାଲି ହଜାର ହଜାର ଦେଖଣାହାରୀଙ୍କ ଉପସ୍ଥିତିରେ ପାଳିତ ହୋଇଛି। ଠାକୁରାଣୀଙ୍କ ପୀଠରେ ପୂଜକ ରଘୁନାଥ ପଣ୍ଡା ପୂଜାବିଧି କାର୍ଯ୍ୟ ସମ୍ପାଦିତ କରିଥିଲେ। ଦେହୁରୀ ରୋଗୀ କୁଣ୍ଡୁଳିଆଙ୍କ ଉପସ୍ଥିତିରେ ୭ ଜଣ ଭକ୍ତା ପିଠିରେ କଣ୍ଟା ଫୋଡି ଉଡା ଖୁଣ୍ଟରେ ଉଡିବାର ଦୃଶ୍ୟକୁ ଲୋକମାନେ ଉପଭୋଗ କରିଥିଲେ। ଏହି ଅବସରରେ ଚମ୍ପକେଶ୍ୱର ମହାଦେବ ଏବଂ ମା ବାସୁଳୀ ଠାକୁରାଣୀ ଙ୍କ ନିକଟରେ ଶହ ଶହ ମାନସିକଧାରୀ ପୂଜାର୍ଚ୍ଚନା କରିଥିଲେ। ପାଟ ଉଡା କମିଟି ପକ୍ଷରୁ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏଠାରେ ଉଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି।

ସେହିପରି ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ମା ବାଶୁଳି ଠାକୁରାଣୀଙ୍କ ପୀଠରେ ଉଡାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି। ମୁଖ୍ୟ ଦେହୁରୀ ରମାକାନ୍ତ ଦେହୁରୀ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିଥିଲେ। ସରପଞ୍ଚ ଭାମାମଣି ଦାସଙ୍କ ଉପସ୍ଥିତିରେ ୧୭ ଜଣ ଭକ୍ତା ପାଟୁଆ ପିଠିରେ କଣ୍ଟା ଫୋଡି ଉଡାଖୁଣ୍ଟରେ ଉଡିଥିଲେ। ସର୍ବଶ୍ରୀ ରଣଜିତ ସେଠୀ, କର୍ମୁ ସେଠୀ, ଜଗବନ୍ଧୁ ସେଠୀ ରକ୍ଷାକର ଦାସ, ଦିବାକର ଦେହୁରୀ, ସଚ୍ଚିଦାନନ୍ଦ ସେଠୀ, ଗୋବର୍ଦ୍ଧନ ଦାସଙ୍କ ସହିତ କମିଟିର ଅନ୍ୟ ସଦସ୍ୟ ମାନେ ପରିଚାଳନା ଦାୟିତ୍ୱ ସମ୍ଭାଳି ଥିଲେ। ଉଡାଯାତ୍ରା ଦେଖିବାକୁ ହଜାର ହଜାର ଲୋକ ଏଠାରେ ଉପସ୍ଥିତ ଥିବା ବେଳେ କଟକର ଆଧୁନିକ ମେଲୋଡି ଓ ଏମଜେ ଝୁମର ଦଳ ନୃତ୍ୟ ପରିବେଷଣ କରି ଲୋକଙ୍କ ମନୋରଞ୍ଜନ କରିଥିଲେ।

Comments are closed.