୨୧ ବେଳକୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୧ ବେଳକୁ ଏକ ଲଘୁଚାପ ସୃଷ୍ଠି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ। ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ସ୍ବାଭାବିକ ନ ଥିବା ହେତୁ ବର୍ଷା ପରିମାଣ କମିଛି। ସମ୍ଭାବ୍ୟ ଲଘୁଚାପ ଦ୍ବାରା ଆଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇପାରେ।

ସମ୍ଭାବ୍ୟ ଲଘୁଚାପ ବଙ୍ଗୋପସାଗର ଯେଉଁ ଅଞ୍ଚଳରେ ସୃଷ୍ଟି ହେବ ଓଡ଼ିଶା ପାଇଁ ଉତ୍ତମ। ବିଶେଷ କରି ନିଅଣ୍ଟିଆ ବର୍ଷା ହୋଇଥିବା ଜିଲାଗୁଡ଼ିକରେ ଭଲ ବର୍ଷା ହୋଇପାରେ। ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡରେ ଭଲ ବର୍ଷା ହୋଇପାରେ। ଜୁନ୍ ପହିଲାରୁ ଜୁଲାଇ ୧୬ ସୁଦ୍ଧା ରାଜ୍ୟରେ ୨୯୨.୯ମିମି ବର୍ଷା ହୋଇଛି। ୧୮ ଜିଲାରେ ନିଅଣ୍ଟିଆ ଏବଂ ୧୨ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ହୋଇଥିବା ଜିଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆଗକୁ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ହେବା ଦ୍ବାରା ଚାଷ କାମ ଜୋରଦାର ଆଗେଇବ ବୋଲି କୁହାଯାଉଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ୨୧ରୁ ପାଗରେ ପରିବର୍ତ୍ତନ ଆସି ୨୩ ବେଳକୁ ଲଘୁଚାପ ଜନିତ ବର୍ଷା ହୋଇପାରେ। ଲଘୁଚାପ ଓଡ଼ିଶା ଉପକୂଳ ସ୍ପର୍ଶ କରିବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ରାଜ୍ୟର ସମସ୍ତ ଜିଲାରେ ଭଲ ବର୍ଷା ହେବ। ୨୩ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ଥିବା‌େବଳେ ୨୩ ଓ ୨୪ ତାରିଖରେ ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ। ମହାନଦୀ ଉପରମୁଣ୍ଡ ଛତିଶଗଡ ସହିତ ରାଜ୍ୟ ଭିତରେ ସମସ୍ତ ନଦୀ ଅବବାହିକାରେ ପ୍ରବଳ ବର୍ଷା ହୋଇପାରେ।

Comments are closed.